ଭଞ୍ଜନଗର: ପ୍ରାକୃତିକ ଶୋଭା ରାଜିରେ ପରିପୂର୍ଣ୍ଣ ଐତିହ୍ୟ ସମ୍ପନ୍ନ ଘୁମୁସର ମାଟି। ବଣ ନଦୀ ଜଙ୍ଗଲ ପାହାଡ଼ ଭଳି ପ୍ରାକୃତିକ ସମ୍ପଦର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରକୃତିର ଶୀତଳ ପରସ ସାଙ୍ଗକୁ ଏଠାରେ ରହିଛି ଅନେକ ଆରାଧ୍ୟ ଦେବାଦେବୀଙ୍କ ମନ୍ଦିର। ଘୁମୁସରର ନିଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତରେ ବ୍ୟଘ୍ରଦେବୀଙ୍କ ଆସ୍ଥାନ ଆଗନ୍ତୁକଙ୍କ ମନରେ ଖେଳାଇଦିଏ ଅଧ୍ୟାତ୍ମିକତାର ମହକ। ଐତିହାସିକ ଚକାରାଘାଟି ଏହି ମାଟିର ବୀରତ୍ବଗାଥା ବହନ କରିଥାଏ। ବେଲେଶ୍ବର ପାହାଡ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରାୟୋଗ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ। ସବୂଜିମା ଘେରା ଗାନ୍ଧୀ କୈଳାଶ ପାହାଡ ଓ ରସଲକୋଣ୍ଡା ଘାଇର ମନୋରମ ଦୃଶ୍ୟ ସମସ୍ତଙ୍କୁ ବାନ୍ଧି ରଖିଥାଏ। କନ୍ଧମାଳ ଜିଲ୍ଲାକୁ ସଂଯୋଗ କରିଥିବା କଳିଙ୍ଗାଘାଟିର ପ୍ରାକୃତିକ ମନୋରମ ଦୃଶ୍ୟ ଘାଟିରେ କିଛି ସମୟ ଅଟକାଇବା ପାଇଁ ବାଧ୍ୟକରେ।

Advertisment

ଏଭଳି ଅନେକ ବିଭବ ମଧ୍ୟରେ ଅନ୍ୟତମ ହୋଇପାରିଛି କୋକଳବାର ଲକ୍ଷ୍ମୀମୁଣ୍ଡିଆ ପାହାଡ଼। ବିଶ୍ବ ପ୍ରସିଦ୍ଧ ସାରସ୍ବତ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବଂଶ ସହ ଜଡିତ ଥିବା ଏହି ପାହାଡର ପ୍ରାକୃତିକ ପରିବେଶ ବର୍ତ୍ତମାନ ବହୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ ଏହା ଅନାଲୋକିତ ଭାବେ ରହିଯାଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ର କୋକଳବା ଗ୍ରାମରେ ଅନେକ ସମୟ ଧରି ଭଞ୍ଜ ବଂଶୀୟ ରାଜା ମାନେ ରହି ସାଧାନ କରିଥିଲେ। ଆଉ ଏହି ଗ୍ରାମକୁ ଲାଗି ରହିଛି ଲକ୍ଷ୍ମୀ ମୁଣ୍ଡିଆ ପାହାଡ। ଯେଉଁଠି ରହିଛି ଲକ୍ଷ୍ମୀ ନୃସିଂହଙ୍କ ଗୁମ୍ଫା। ଏଠାରେ ପାହାଡରେ ଖୋଦିତ ହେଲା ଭଳି ନୃସିଂହ ମୁଣ୍ଡର ପ୍ରାକୃତିକ ଚିତ୍ର ରହିଥିବାରୁ ଏହାକୁ ଲକ୍ଷ୍ମୀନୃସିଂହ ଗୁମ୍ଫା କୁହାଯାଉଛି। ଏଥିସହ ଏହି ପାହଡରେ ପୂର୍ବରୁ ଏକ ଜୈନପୀଠ ରହିଥିବା ମଧ୍ୟ କିଛି ଐତିହାସିକ ଦାବି କରନ୍ତି। ବହୁ ଜୈନ ଧର୍ମାବଲମ୍ବୀ ଏଠାକୁ ଆସି ସାଧନା କରୁଥିବା କୁହାଯାଏ। ଘୁମୁସର ଗଡର ସୁରକ୍ଷା ନିମନ୍ତେ ରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଘୁମୁସରର ୪ ଟି ସ୍ଥାନରେ ସାମରିକ କେନ୍ଦ୍ର ସ୍ଥାପନ କରିଥିଲେ। ସେଥି ମଧ୍ୟରୁ କୋକଳବାର ସ୍ଥାନ ସ୍ବତନ୍ତ୍ର ରହିଥିଲା। ଏଠାରେ ଜଣେ ସର୍ଦ୍ଦାରଙ୍କ ସମେତ ପାଇକ ନାୟକ,କରଣ,କାର୍ଜି ଭଳି ବିଭିନ୍ନ କାର୍ଯ୍ୟ ପାଇଁ ପାରିଷଦ ସଦସ୍ୟ ରଖିବା ସହ ସେମାନଙ୍କ ପାଇଁ ଜମି ଖଞ୍ଜା ମଧ୍ୟ ଦେଇଥିଲେ। ଏଥିସହ ଲହୁରା ସଂପ୍ରଦାୟର ବ୍ୟକ୍ତ ମାନେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଏକ ନାଳରେ ତାକୁ ଧୋଉଥିଲେ। ତାକୁ ଖଣ୍ଡା ଧୁଆ ନାଳ କୁହାଯାଉଥିବା ବେଳେ ବର୍ତ୍ତମାନ ସେଠାରେ ଆଡିବନ୍ଧ କରି ଖିଲାଡି ଘାଇ ଭାବେ ପରିଚିତ ହୋଇଛି।

publive-image

ପାହାଡ ଉପରୁ ଡ୍ୟାମ୍ ଓ ନିଘଞ୍ଚ ଜଙ୍ଗଲର ପ୍ରାକୃତିକ ପରିବେଶ ସହ ଏହାର ମନଲୋଭା ଦୃଶ୍ୟ ଆଗନ୍ତୁକ ମାନଙ୍କୁ ବେଶ ପ୍ରଭାବିତ କରିଥାଏ। ଏଥିସହ ଡ୍ୟାମ୍କୁ ସଂଯୋଗ କରୁଥିବା ଝରଣା ଠାରେ ମଧ୍ୟ ବେଶ ଉପଭୋଗ କରିଥାନ୍ତି। ପୂର୍ବ କାଳରେ ଏଠାରେ ସମର ଶିକ୍ଷା ସହ ସାଧନା କରୁଥିବା ବେଳେ ଏହାର ନିକଟରେ ଏକ ଖାଲୁଆ ସ୍ଥାନରେ ହାତୀ ମାନଙ୍କୁ ଜଙ୍ଗଲରୁ ଆଣି ପ୍ରଶିକ୍ଷଣ ଦେଇ ଯୁଦ୍ଧରେ ବ୍ୟବହାର କରାଯାଉଥିବା ଶୁଣିବାକୁ ମିଳେ। ତେଣୁ ଆଜି ବି ଉକ୍ତ ସ୍ଥାନ ହାତୀଗଡ ଭାବେ କୀର୍ତ୍ତି ବହନ କରୁଛି। କୋକଳବା ଗ୍ରାମରେ ଦଧିବାମନ ମନ୍ଦିର,ଧବଳେଶ୍ବର ମନ୍ଦିର ଓ ମା ଭରାଣ୍ଡି ଠାକୁରାଣୀଙ୍କ ବହୁ ପୁରାତନ ମନ୍ଦିର ରହିଛି। ଯାହାକି ଇତିହାସର ଅନେକ କାହାଣୀ ସହିତ ଜଡିତ ହୋଇଛି।

ଲକ୍ଷ୍ମୀ ମୁଣ୍ଡିଆ ପାହାଡକୁ ଜିଲ୍ଲା ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସୁଥିବା ବେଳେ ସରକାରୀ ସ୍ତରରେ ଏହାର ପ୍ରଚାର ପ୍ରସାର ନିମିତ୍ତି କୌଣସି ଉଦ୍ୟମ ହୋଇନାହିଁ। ଏଠାରେ ପ୍ରତି ସଂକ୍ରାନ୍ତିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭିଡ ଜମିଥାଏ। ବହୁ ଆଡମ୍ବରରେ ଶିବରାତ୍ରୀ,ନୃସିଂହ ଚତୁର୍ଦ୍ଦଶୀ,କାର୍ତ୍ତିକ ପୂର୍ଣ୍ଣମୀ,ଦୋଳପୂର୍ଣ୍ଣିମୀ ଆଦି ପାଳନ ହେଉଛି। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀଙ୍କ ଠାରୁ ଆରମ୍ଭ କରି ବହୁ ପ୍ରଶାସନିକ ଅଧିକାରୀ ଏଠାକୁ ଆସଥିଲେ ମଧ୍ୟଏହାର କିଛି ଉନ୍ନତି ସାଧିତ ହୋଇପାରିନାହିଁ। କୋକଳବା ଗ୍ରାମର କିଛି ବ୍ୟକ୍ତି ଏକ କମିଟି ଗଠନ କରି ପାହାଡ ଉପରକୁ ପାଣି ପମ୍ପ ସାହର୍ଯ୍ୟରେ ପିଇବା ପାଣି ବ୍ୟବସ୍ଥା ସହ କିଛି ବାଟ ପାହାଡକୁ ପାହାଚ ନିର୍ମାଣ କରାଯାଇଛି। ପଞ୍ଚାୟତ ପକ୍ଷରୁ ପାଦଦେଶରେ ଭିୟୂ ପଏଣ୍ଟ,ଆଶ୍ରୟ ସ୍ଥଳ,ପାର୍କ ଆଦି ନିର୍ମାଣ କରାଯାଇଥିବା ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଏହାର ଐତିହ୍ୟ କୀର୍ତ୍ତିରାଜି ସୁରକ୍ଷା ଏବଂ ରକ୍ଷଣାବେକ୍ଷଣା ସତେ ଯେମିତି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି।