ଟ୍ରଲିରେ ବୋହି ହସ୍ପିଟାଲ ନେବା ବାଟରେ ହେଲା ପତ୍ନୀଙ୍କ ମୃତ୍ୟୁ, ଏବେ ପ୍ରତିଶ୍ରୁତି ନେଇ କବୀରଙ୍କ କୁଟୀରରେ ନେତା ହାଜର

ପୁରୀ: ଜଣେ ଗରିବ ଲୋକକୁ ସହାୟତାର ଆବଶ୍ୟକତା ପଡିଲେ ଅନେକ ମୁହଁ ମୋଡି ଦିଅନ୍ତି, କିନ୍ତୁ ଘଟଣା ପ୍ରଚାର ହୋଇଗଲେ, ଗରିବ ବ୍ୟକ୍ତି ଜଣକ, ବଡ ବଡ ଲୋକଙ୍କ ସହାନୁଭୂତିର ପାତ୍ର ପାଲଟିଯାଏ ।

ସତ୍ୟବାଦୀର କବୀର ଭୋଇ କାହାର ସହାୟତା ନପାଇ, ନିଜ ପତ୍ନୀଙ୍କୁ ୭୫ କିଲୋମିଟର ଟ୍ରଲିରେ ଆଣିଥିଲେ । କବୀରଙ୍କ ପତ୍ନୀ ଡାକ୍ତରଖାନା ପହଂଚିଲେ ସତ, କିନ୍ତୁ ଚିକିତ୍ସା ପାଇବା ଆଗରୁ ଆଖି ବୁଜି ଦେଇଥିଲେ । ଏବେ କିନ୍ତୁ ସତ୍ୟବାଦୀର କବୀର ଭୋଇଙ୍କ ଘର, ନେତାଙ୍କ ନୂଆ ଠିକଣା ବନିଯାଇଛି ।

ସତ୍ୟବାଦୀର ଦାସବିଦ୍ୟାଧରପୁର ଗାଁରେ ଏବେ ବେଶ ଭିଡ ଜମୁଛି । ଆଉ କବୀର ଭୋଇଙ୍କ ଘରେ ରାଜନେତାଙ୍କ ସୁଅ ଛୁଟୁଛି । ସମସ୍ତେ କିଛି ନା କିଛି ସହାୟତା ଆଣୁଛନ୍ତି । କବୀର ଭୋଇଙ୍କ ସହ କଥା ହେଉଛନ୍ତି ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଏବଂ କେବେ କିଛି ଦରକାର ହେଲେ ଜଣାଇବାକୁ କହୁଛନ୍ତି ।

Sambad

୨୦୨୦ ଅକ୍ଟୋବର ୧୦ରେ କବିର ଭୋଇ ଏକ ଟ୍ରଲିରେ ଅସୁସ୍ଥ ପତ୍ନୀଙ୍କୁ ସୁଆଇ ପୁରୀରୁ କଟକ ୭୫ କିଲୋମିଟର ବାହାରିଥିଲେ । କଟକ ବଡ ମେଡିକାଲରେ ପହଞ୍ଚିବି ଗଲେ । ହେଲେ ପତ୍ନୀ ବଞ୍ଚିଲେନି । କିନ୍ତୁ ଏହି ଖବର ଜଙ୍ଗଲର ନିଆଁ ଭଳି ଚାରିଆଡେ ବ୍ୟାପିଗଲା ।

ଚର୍ଚ୍ଚା ହେଲା, କଳାହାଣ୍ଡିର ଦାନମାଝୀ ପରେ ଉପକୂଳରେ ଏଭଳି ଘଟଣା ଘଟିଛି । ଆଉ ତାପରେ ରାଜନୀତିର ରୋଟି ସେକିବାକୁ କବୀରଙ୍କ ଘରେ ଲାଗିଲା ନେତାଙ୍କ ଭିଡ । ପୁଳାପୁଳା ପ୍ରତିଶୃତିର ପାହାଡ ଉପରେ କବୀରଙ୍କୁ ଛିଡା କରିଛନ୍ତି ନେତା । କିନ୍ତୁ ଦିନ ବିତିଯିବ, ନେତା ଚାଲିଯିବ । ହେଲେ ସେହି ପ୍ରତିଶ୍ରୁତିର ପୁଡିଆକୁ ଧରି କବୀରଙ୍କୁ ବଞ୍ଚିବାକୁ ପଡିବନି ତ? ଆମ ସମାଜରେ ଏଭଳି ଘଟଣା ସବୁବେଳେ ଘଟେ ।

ଯେତେବେଳେ ଜଣେ ବ୍ୟକ୍ତି ଖୁବ ଅସହାୟ ଥାଏ ଏବଂ ତାକୁ ସାହାଯ୍ୟର ଅତ୍ୟନ୍ତ ଆବଶ୍ୟକତା ଥାଏ ସେତେବେଳେ କାହା ପାଖରେ ସମୟ ନଥାଏ । କିନ୍ତୁ ଯେତେବେଳେ ଟିଭିରେ ଏକଥା ପ୍ରଚାର ହୁଏ, ତାପରେ ଆବଶ୍ୟକତା ନଥିଲେ ବି ସହ ଯୋଗର ହାତ ଆପେ ଆପେ ବଢିଆସେ ।

ସମ୍ବନ୍ଧିତ ଖବର