ସାମ୍ଭାବ୍ୟ ବାତ୍ୟାକୁ ନେଇ ମାଲକାନଗିରିରେ ହାଇଆଲର୍ଟ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ମାଲକାନଗିରି: ଆସନ୍ତାକାଲି ଠାରୁ ସାମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗ ମାଲକାନଗିରି ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖା ଦେଇଛି। ଆଜି ଜିଲ୍ଲାପାଳ ବିଶାଲ ସିଂହ ସମସ୍ତ ବିଡିଓ, ତହସିଲାଦାର ସମେତ ଲାଇନ ବିଭାଗର କର୍ମଚାରୀଙ୍କୁ ନିଜ ନିଜ ଅଂଚଳରେ ସମସ୍ତ ପ୍ରସ୍ତୁତି ସହ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ସମସ୍ତଙ୍କ ଛୁଟିକୁ ବାତିଲ କରିଥିବା ସୂଚନା ଦେଇଛନ୍ତି। ଜିଲ୍ଲାରେ ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲାବାସୀଙ୍କୁ ସତର୍କତା ସହ ରହିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା କୁହାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକକୁ ତୁରନ୍ତ ଖୋଲିବା ସହ ତଳିଆ ଅଂଚଳର ଲୋକଙ୍କୁ ଆଶ୍ରୟ ସ୍ଥଳକୁ ନେବାକୁ ନିର୍ଦେଶ ଦିଆଯାଇଛି। ପାହାଡି ରାସ୍ତାରେ କୌଣସି ଲୋକ ଯିବା ଆସିବା ନକରିବା ପାଇଁ ନିର୍ଦେଶ ଦିଆଯାଇଛି।

ମାଲକାନଗିରିରେ ବନ୍ୟା ସମସ୍ୟା ରହିଥିବାରୁ ସମସ୍ତ ବ୍ଲକର ଅଧିକାରୀ ମାନଙ୍କୁ ୨୪ ଘଣ୍ଟା ସଜାଗ ରହିବା ସହ ସମସ୍ତ ଅଂଚଳରେ ହାଇଆଲର୍ଟ ଜାରି କରିବା ପାଇଁ କୁହାଯାଇଛି। କୌଣସି ଅଘଟଣକୁ ଏଡାଇବା ପାଇଁ ୬ଟି ଓଡ୍ରାଫ ଟିମ ମାଲକାନଗିରିରେ ପହଞ୍ଚିଛି। ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ପ୍ରତିବର୍ଷ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା କାଲିମେଳା, କୋରକୋଣ୍ଡା, ପଡିଆ ଏବଂ ମାଥିଲି ଅଂଚଳରେ ବିଶେଷକରି ଦୃଷ୍ଟି ଦିଆଯାଉଛି। ପ୍ରବଳ ବର୍ଷା ଯୋଗୁଁ ସମସ୍ତ ନଦୀ ଫୁଲିବା ସହ ବ୍ରିଜ ଗୁଡିକ ଉପରେ ପାଣି ପ୍ରବାହିତ ହେବ। ତେଣୁ ଯେଉଁମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଚାହୁଁଛନ୍ତି ସେମାନେ ବର୍ଷା ପୂର୍ବରୁ ପହଞ୍ଚିବାକୁ ଚେଷ୍ଟା କରିବା ପାଇଁ କୁହାଯାଇଛି। ସେହିପରି ସୋମବାର ଦିନ ୟେଲୋ ଜୋନ ଭାବେ ଘୋଷଣା କରାଯାଇଛି। ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର