ରହସ୍ୟରେ ଅଧ୍ୟାପକ ମୃତ୍ୟୁ ଘଟଣା: ଥାନାରେ ଦୋଷ ଲଦାଲଦି

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଗତ ଅଗଷ୍ଟ ୩୧ ତାରିଖ ଦିନ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୁଲିସ। ପ୍ରକାଶଙ୍କ ସ୍ତ୍ରୀ ଏହାକୁ ଆତ୍ମହତ୍ୟା ଘଟଣା ବୋଲି କହୁଥିବା ବେଳେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଥିଲେ। ଖୋଦ ପ୍ରକାଶଙ୍କ ସ୍ତ୍ରୀ ନାଁରେ ପରିବାର ବର୍ଗ ଅଭିଯୋଗ ଉଠାଇଥିଲେ। ଆଜି ପୁଲିସ ଆଲୋକନଗର ଭଡ଼ାଘରୁ ସାମଗ୍ରୀ କାଢ଼ିବାକୁ ପ୍ରକାଶଙ୍କ ପରିବାର ବର୍ଗ ଓ ସ୍ତ୍ରୀଙ୍କୁ ଡକାଇଥିଲା। ପୁଲିସ କହିବାନୁସାରେ, କଲେଜର କିଛି କାଗଜପତ୍ର ପ୍ରକାଶଙ୍କଠାରେ ଥିଲା। ତାହାପାଇଁ କଲେଜ ପକ୍ଷରୁ ଚିଠି କରିବାରୁ ସେମାନେ ପରିବାର ଲୋକଙ୍କୁ ଡାକିଥିବା କହିଥିଲେ। ଏହି ସମୟରେ ସେଠାରେ ଉଭୟ ପକ୍ଷ ସାମ୍ନାସାମ୍ନି ହୋଇଥିଲେ। ଗଣମାଧ୍ୟମ ଆଗରେ ପ୍ରକାଶଙ୍କ ସ୍ତ୍ରୀ ସମ୍ପତ୍ତି ଲୋଭରେ ତାଙ୍କ ମୃତ ସ୍ୱାମୀଙ୍କ ଭାଇମାନେ ହତ୍ୟା ଅଭିଯୋଗ ଆଣୁଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ପରିବାର ଲୋକ ଯୋଜନାବଦ୍ଧ ଭାବରେ ଏହା ହତ୍ୟା ବୋଲି ଅଭିଯୋଗ ଉଠାଇଥିଲେ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ମର୍ଜାକୁଦା ଗାଁର ପ୍ରକାଶ ବଲାଙ୍ଗୀର ଆଲୋକନଗର ପଡ଼ାରେ ରହୁଥିଲେ। ତାଙ୍କର ସନ୍ଦେହଜନକ ମୃତ୍ୟୁ ଖବର ପାଇ ପୁଲିସ ଘରୁ ଶବ ଉଦ୍ଧାର କରିଥିଲା। ଶବର ବିଭିନ୍ନ ସ୍ଥାନରେ କଟା ଦାଗ ଥିବା ବେଳେ ଏକ ପ୍ଲାଷ୍ଟିକ ରଶିରେ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଥିଲା। ପ୍ରକାଶଙ୍କ ସ୍ତ୍ରୀ କହିଥିଲେ ତାଙ୍କ ଦେହ ଅସୁସ୍ଥ ଥିଲା। ଡାକ୍ତର କରୋନା ପରୀକ୍ଷା କରିବାକୁ କହିଥିଲେ। ହେଲେ ସେ ମାନସିକ ଚିନ୍ତାରେ ଥିଲେ। ଆଉ ସେ ଆତ୍ନହତ୍ୟା କରିଥିବା କହିଥିଲେ। ଅପରପଟେ କିନ୍ତୁ ପ୍ରକାଶଙ୍କ ଭାଇମାନେ ପରବର୍ତ୍ତୀ ସମୟରେ ବଲାଙ୍ଗୀର ଆସି ଏସପିଙ୍କ ନିକଟରେ ହତ୍ୟା ଅଭିଯୋଗ କରିଥିଲେ। ଉକ୍ତ ମାମଲା ରହସ୍ୟରେ ଏବେ ବି ରହିଛି।

ସମ୍ବନ୍ଧିତ ଖବର