ଟ୍ରକ୍ ଧକ୍କାରେ ଅଧ୍ୟାପକଙ୍କ ମୃତ୍ୟୁ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ଜାରକା ବସଷ୍ଟାଣ୍ତ୍ ନିକଟରେ ଆଜି ଅପରାହ୍‌ଣ‌ ସାଢେ ୩ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁଗୁପାଳସ୍ଥିତ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଅରୁଣ କୁମାର ରାଉତ(୫୧)। ସେ କ୍ଲାସ୍‌ ସାରି ଚଣ୍ତିଖୋଲସ୍ଥିତ ବସାଘରକୁ ବାଇକରେ ଫେରୁଥିଲେ। ଜାରକା ବସଷ୍ଟାଣ୍ତ୍ ନିକଟ ହମ୍ପସ୍‌ରେ ତାଙ୍କୁ ଏକ ଟ୍ରକ୍ ସାଇଡ୍ ମାରି ଫେରାର୍ ହୋଇ ଯାଇଥିଲା। ସେ ବାଇକରୁ ଖସି ଗୁରୁତର ଆହତ ହୋଇଥିଲେ। ନିକଟରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବରପାଇ ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନା ପଠାଇଛି। ସ୍ବର୍ଗତ ରାଉତଙ୍କ ଘର କୁଆଖିଆ ଥାନା ଭୋଟକା ଗାଁରେ ହୋଇଥିବା ବେଳେ ପରିବାର ସହ ଚଣ୍ତିଖୋଲରେ ରହୁଥିଲେ। ତାଙ୍କ ଅକାଳ ବିୟୋଗରେ କୁଆଖିଆ ଓ ଚଣ୍ତିଖୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର