ଜୟପୁର: ପୌରପାଳିକା ପକ୍ଷରୁ ଜୟପୁର ସହରର ନୂଆବସଷ୍ଟାଣ୍ଡ ଠାରୁ ଡିଏଚଏଚ୍ ପର୍ଯ୍ୟନ୍ତ ୩୨ଟି ଓ ୱୋଲୋବ୍ରିଜ୍ ଛକରୁ ପୁରୁଣାଗଡ଼ ଛକ ପର୍ଯ୍ୟନ୍ତ ୩୨ଟି ଏଭଳି ୬୪ଟି ଏଲଇଡି ଲାଇଟ୍ ଗତ ୧୩ଦିନ ହେବ ପରୀକ୍ଷା ମୂଳକ ଭାବେ ଲାଗଯାଇଥିଲା। ଶନିବାର ଏହାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୌରଅଧ୍ୟକ୍ଷ ନ‌ରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା, ପୌର କାର୍ଯ୍ୟର୍ନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଓ କାଉନସିଲର ମାନଙ୍କ ଉପସ୍ଥିତିରେ ଲୋକାର୍ପଣ କରିଥିଲେ। ସୂଚନା ଯୋଗ୍ୟ, ଉଭୟ ଅଞ୍ଚଳରେ ଲାଇଟ୍ ନଥିବାରୁ ସନ୍ଧ୍ୟା ନଇଁବା ମାତ୍ରକେ ଅନ୍ଧାର ହେଉଥିଲା। ଖାସ୍ କରି ୱୋଲୋ ବ୍ରିଜରୁ ପୁରୁଣାଗଡ଼ ଛକ ପର୍ଯ୍ୟନ୍ତ ବିଜୟୱାଡା ରାଞ୍ଚି କରିଡ଼ର ରାସ୍ତା ଅନ୍ଧାର ରହିବା ଫଳରେ ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟି ଯାଇଥିଲା।

Advertisment

ସେଭଳି ନୂଆବସଷ୍ଟାଣ୍ଡରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରାସ୍ତା ପ୍ରମୁଖତା ବହନ କରୁଥିଲେ ହେଁ ଅନ୍ଧାର ରହିଥି‌ଲା। ଉଭୟ ରାସ୍ତାରେ ଏହି ୬୪ଟି ଲାଇଟ୍ ଲାଗିବାକୁ ସାଧାରଣରେ ସ୍ବାଗତ କରାଯାଇଛି। ବିଜୁ କେବିକେ ଯୋଜନାରେ ୫ଲକ୍ଷ ଓ ଜିଲ୍ଲାପାଳ ନିଜେ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିରେ ଆଉ ୫ଲକ୍ଷ ଦେଇଥିଲେ। ଏଭଳି ୧୦ଲକ୍ଷ ଅନୁଦାନରେ ଏହି ଲାଇଟ୍ ପୌରପାଳିକା ପକ୍ଷରୁ ଲଗାଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି। ଆସନ୍ତା ଦିନରେ ୱେଲୋ ବ୍ରିଜ୍ ଛକରେ ବଡ ହାଇମାଷ୍ଟ ଲାଇଟ ଲଗାଯିବା ଯୋଜନା ରହିଛି ବୋଲି ବିଧାୟକ ସୂଚନା ଦେଇଛନ୍ତି।