ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କୁଷ୍ଠ କଲୋନିବାସୀ

ତାତିଲେ ପାଞ୍ଚ କଲୋନି, ଏଥର ଭୋଟ୍‌ ବର୍ଜନ

ଖୋର୍ଦ୍ଧା: ଜାଗା ଯୋଜନାରେ ସରକାର ପ୍ରତ୍ୟେକ ବସ୍ତିକୁ ଜାଗା ଯୋଗାଇଲେ। କିନ୍ତୁ, ଖୋର୍ଦ୍ଧା ପୌରପାଳିକାର ଶାନ୍ତିଦାନ କୁଷ୍ଠ କଲୋନି ବାଦ୍‌ ପଡ଼ିଲା। ବସ୍ତି ସର୍ଭେ ହେଲା, ସବୁ କାଗଜପତ୍ର ନିଆଗଲା, କିନ୍ତୁ ଏ ଜମି ଜଣେ ବ୍ୟକ୍ତିଙ୍କର ନିଜସ୍ବ ମାଲିକାନାରେ ଅଛି ବୋଲି ସରକାର ପଟ୍ଟା ଦେଲେ ନାହିଁ କି ଗରିବଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ବି କଲେ ନାହିଁ। ଯାହାକୁ ନେଇ ପ୍ରତିବାଦ ଜୋର୍‌ ଧରିଛି। କେବଳ ଖୋର୍ଦ୍ଧା ସହରର ଶାନ୍ତିଦାନ କୁଷ୍ଠ କଲୋନି ନୁହେଁ, ଜିଲ୍ଲାର ବାପୁଜୀ, ଧରାବତି, ଯାଆଁଳା ଓ ଭାଗବତ ଆଦି ୫ଟି କଲୋନି ବାସିନ୍ଦା ଆଜି ଏହା ବିରୋଧରେ ସ୍ବର ଉତ୍ତୋଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆସନ୍ତା ମାସେ ମଧ୍ୟରେ ଦାବି ପୂରଣ ନ ହେଲେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ଭୋଟ୍‌ ବର୍ଜନ କରିବାକୁ କଲୋନିବାସୀ ଚେତାବନୀ ଦେଇଛନ୍ତି।

 କଲୋନିବାସୀଙ୍କ କହିବା ମୁତାବକ, କୁଷ୍ଠରୋଗୀ ବହୁ  ବର୍ଷ ତଳେ ବିଭିନ୍ନ ଜାଗାରେ ଥଇଥାନ କରାଯାଇଥିଲା। ସେତେବେଳେ ଜମି କାହାର ବ୍ୟକ୍ତିଗତ ମାଲିକାନାରେ ଥିଲା। ସମୟ କ୍ରମେ କୁଷ୍ଠରୋଗୀଙ୍କ ପରିବାର ସେଠାରେ ବସତି ସ୍ଥାପନ କଲେ। ବଂଶାନୁକ୍ରମେ ପିଲାଛୁଆ ଜନ୍ମ ହୋଇ ବଢ଼ିଲେ। କିନ୍ତୁ, ସେ କଲୋନି ଲୋକଙ୍କ ନିଜ ନାଁରେ କୌଣସି ଜାଗା ନାହିଁ। ଜାଗା ମିଶନରେ ଏଥର ଗରିବଙ୍କୁ ସ୍ଥାୟୀ ପଟ୍ଟା ମିଳିବ ବୋଲି ଲୋକେ ଆଶାବାଦୀ ଥିଲେ। ଏହି କ୍ରମରେ ବସ୍ତିବାସୀଙ୍କର ଡ୍ରୋନ୍‌ ସର୍ଭେ ହେଲା। କିନ୍ତୁ, ସମସ୍ତଙ୍କୁ ଜମି ପଟ୍ଟା ମିଳିଲା, ଏ ବସ୍ତି ଲୋକଙ୍କୁ ସରକାର ପଟ୍ଟା ଦେଇ ପାରିଲେ ନାହିଁ। ବ୍ୟକ୍ତିଗତ ଜମି ହେତୁ, ତାହା କଲୋନିବାସୀଙ୍କୁ ଦିଆଯାଇପାରୁନାହିଁ। ଗୋଟିଏ ପଟେ ଲୋକଙ୍କର ଜମି ନ ଥିବା ବେଳେ ଅନ୍ୟପଟେ ସରକାର ଏ କଲୋନିର ଘର ମରାମତି, ଶୌଚାଳୟ ନିର୍ମାଣ ଆଦି କରାଇବାକୁ ଚିଠି କରିଛନ୍ତି। ଯେଉଁଠି ଆମ ନାଁରେ ଜମି ନାହିଁ, ଆମର ନିଜସ୍ବ ଘର ନାହିଁ, ସରକାର କାହାକୁ ମରାମତି କରିବେ ବୋଲି କଲୋନିବାସୀ ପ୍ରଶ୍ନ କରିଛନ୍ତି। ତେଣୁ, ଭୂମିହୀନ କଲୋନିବାସୀଙ୍କୁ ସରକାର ତୁରନ୍ତ ଜମି ଯୋଗାଇବା ବ୍ୟବସ୍ଥା କରିବାକୁ କଲୋନିବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର