ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଥିବା କୁଷ୍ଠରୋଗୀଙ୍କ ପୁନର୍ବାସ କଲୋନୀଗୁଡ଼ିକରେ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ଦାବିରେ ଆଜି ଶତାଧିକ କୁଷ୍ଠରୋଗୀ ଏକ ବିକ୍ଷୋଭ ରାଲି ଆୟୋଜନ କରିବା ସହ ଏନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା କୁଷ୍ଠ କଲୋନୀ ମିଳିତ କଲ୍ୟାଣ କମିଟି ପକ୍ଷରୁ ଧାରାବତୀ କୁଷ୍ଠ କଲୋନୀ, ବାଗୁଜୀ କୁଷ୍ଠ କଲୋନୀ, ଜଟଣୀର ଗାନ୍ଧୀଜୀ କୁଷ୍ଠ କଲୋନୀ, ଯାଁଳାର ଭାଗବତ କୁଷ୍ଠ କଲୋନୀ, ଖୋର୍ଦ୍ଧାର ଶାନ୍ତଦାନ କୁଷ୍ଠ କଲୋନୀର କୁଷ୍ଠରୋଗୀ ଓ ସେମାନଙ୍କ ପରିବାରର ଶତାଧିକ ସଦସ୍ୟ ନୂଆ ବସଷ୍ଟାଣ୍ଡଠାରୁ ଏକ ରାଲିରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଂଚିଥିଲେ ।
କଲୋନୀରେ ରହୁଥିବା କୁଷ୍ଠରୋଗୀ ଓ ସେମାନଙ୍କ ପରିବାରର ସଦସ୍ୟଙ୍କୁ ଆବଶ୍ୟକ ଥଇଥାନ ଓ ସଠିକ୍ ଚିକିତ୍ସା ଆଦି ସହ କଲୋନୀରେ ପାନୀୟଜଳ, ରାସ୍ତାଘାଟ, ଗୃହ, ବିଦ୍ୟୁତ୍ ଯୋଗାଣ ଆଦି ଆନୁସଙ୍ଗିକ ସୁବିଧାସୁଯୋଗ ନିଶ୍ଚିତ କରିବାକୁ ଏକ ୭ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । କଲୋନୀର ବାସିନ୍ଦା ଝରି ରାଉତ କହିଛନ୍ତି ଯେ ସରକାର ଅନେକ ଯୋଜନା କରିଛନ୍ତି, କିନ୍ତୁ କୁଷ୍ଠରୋଗୀ ଓ ତାଙ୍କ ପରିବାରକୁ ଭୁଲିଯାଇଛନ୍ତି । ସେମାନଙ୍କୁ ଜାଗା ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରିବା, ପେନ୍ସନ ରାଶିକୁ ୩ହଜାର ଟଙ୍କାକୁ ବୃଦ୍ଧି, ବିକଳାଙ୍ଗ ପ୍ରମାଣପତ୍ର ପ୍ରଦାନ, କୌଣସି ବ୍ୟବସାୟ ଆଦି ଆରମ୍ଭ କରିବାକୁ ସବସିଡି ଋଣ ଆଦି ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏହି ବିକ୍ଷୋଭ ରାଲିରେ ଅନ୍ୟମାନଙ୍କ ମଧ୍ୟରେ ମଦନ ପ୍ରଧାନ, ସୀତାଦେଈ, ଝୁନୁ ବେହେରା, ଗାନ୍ଧୀଜୀ କୁଷ୍ଠ କଲୋନୀରେ ବାସନ୍ତୀ ପ୍ରଧାନ, ଶୁଭଲକ୍ଷ୍ମୀ ଜେନା, ମଙ୍ଗୁଳୁ ସାହୁ, ଭାଗବତ କଲୋନୀର ଯଶୋଦା ବେହେରା, ରବି ବେହେରା, ଧାରାବତୀ କଲୋନୀର ରଫିତୁଲ୍ଲା ଖାଁ, ମଙ୍ଗୁଳି ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।