ଖୋର୍ଦ୍ଧା: ଜୁଲାଇ ମାସର ପ୍ରଥମ ତିନି ସପ୍ତାହର ବର୍ଷା ଚାଷୀକୁ ନିରାଶ କରିଥିଲା। ଶେଷ ସପ୍ତାହରେ ହୋଇଥିବା ବର୍ଷା ପୁଣି ଆଶା ସଞ୍ଚାର କରିଛି। ଜୁଲାଇ ମାସରେ ସ୍ବାଭାବିକ ଠାରୁ ୧୯ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୯୩୮ ମିମି ବର୍ଷା ରେକର୍ଡ ହୋଇଛି। ଜୁଲାଇ ମାସରେ ଜିଲ୍ଲାରେ ସ୍ବାଭାବିକ ଭାବେ ୩୦୪ ମିମି ବର୍ଷା ହୋଇଥାଏ। ଚଳିତବର୍ଷ ୧୪ ଦିନ ବର୍ଷା ହୋଇଥିବା ବେଳେ ଏହା ମଧ୍ୟରୁ ୮ ଦିନ ବର୍ଷା ୧୦୦ ମିମିରୁ ଉର୍ଦ୍ଧ୍ବ ରେକର୍ଡ କରାଯାଇଛି। ହାରାହାରି ଜୁଲାଇ ମାସରେ ୨୪୯.୭୭ ମିମି ବର୍ଷା ହୋଇଛି। ବାଲିଅନ୍ତାରେ ଜୁଲାଇ ମାସରେ ମୋଟ ୪୪୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲିପାଟଣାରେ ୨୦୧ ମିମି, ବାଣପୁରରେ ୨୧୧ ମିମି, ବେଗୁନିଆରେ ୨୩୧ ମିମି, ଭୁବନେଶ୍ବର ବ୍ଲକରେ ୨୭୫ ମିମି, ବୋଲଗଡ଼ରେ ୩୭୦ ମିମି, ଚିଲିକାରେ ୨୨୬ମିମି, ଜଟଣୀ ୧୭୦ ମିମି, ଟାଙ୍ଗୀ ୨୦୫ ମିମି ଓ ଖୋର୍ଦ୍ଧାରେ ୧୮୫ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୦୨ ମିମି ବର୍ଷା ହୋଇଛି।
ଜୁଲାଇ ୩୧ ଅପରାହ୍ନରୁ ଅଗଷ୍ଟ ୧ ଅପରାହ୍ନ, ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଜୁଲାଇ ୩୧ ଅପରାହ୍ନ ୪ଟାରୁ ବର୍ଷା ଆରମ୍ଭ ହୋଇ ରାତି ପ୍ରାୟ ୧୧ଟା ଯାଏଁ ବର୍ଷାର ପ୍ରକୋପ ଜାରି ରହିଥିଲା। ଭୋରରେ ପୁଣି ବର୍ଷା ହୋଇ ଛାଡ଼ି ଯାଇଥିବା ବେଳେ ଅଗଷ୍ଟ ୧ ତାରିଖ ସକାଳ ୧୧ଟାରୁ ପୁଣି ବର୍ଷା ଆରମ୍ଭ ହୋଇଥିଲା। ପାଣିପାଗ ବିଭାଗରୁ ମିଳିଥିବା ସୂଚନାନୁସାରେ, ଅଗଷ୍ଟ ୧ ତାରିଖ ମଧ୍ୟାହ୍ନ ସୁଦ୍ଧା ବାଲିଅନ୍ତାରେ ୧୩୧ ମିମି, ବାଲିପାଟଣାରେ ୫୮ ମିମି, ଭୁବନେଶ୍ବର ବ୍ଲକରେ ୧୫୭.୮ ମିମି, ଜଟଣୀରେ ୮୫ ମିମି, ବାଣପୁରରେ ୧୫ ମିମି, ବେଗୁନିଆରେ ୧୩ ମିମି, ବୋଲଗଡ଼ରେ ୨୪ ମିମି, ଚିଲିକାରେ ୨୫ ମିମି, ଖୋର୍ଦ୍ଧାରେ ୩୫ ମିମି, ଟାଙ୍ଗୀରେ ୧୧ ମିମି, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ୪ଟି ବର୍ଷାମାପକ କେନ୍ଦ୍ର ଅଞ୍ଚଳରେ ୩୮୩.୨ ମିମି ବର୍ଷା ହୋଇଛି। ସୂଚନାଯୋଗ୍ୟ, ଅଗଷ୍ଟମାସରେ ଜିଲ୍ଲାରେ ସ୍ବାଭାବିକ ଭାବେ ହାରାହାରି ୩୪୦ ମିମି ବର୍ଷା ହୋଇଥାଏ ଏହା ମଧ୍ୟରୁ ପ୍ରଥମ ଦିନରେ ହାରାହାରି ୬୭ ମିମି ବର୍ଷା, ଅର୍ଥାତ୍ ୧୯ ପ୍ରତିଶତ ବର୍ଷା ହୋଇଛି।