ଖୋର୍ଦ୍ଧା: ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ କାର୍ଯ୍ୟ କରୁଥିବା ସେବାୟତଙ୍କ ସମସ୍ୟାର ସମାଧାନ ଦାବି କରି ନିଖିଳ ଉକ୍ରଳ ସେବାୟତ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ଓ ନୟାଗଡ଼ର ଉକ୍ରଳ ଶିବଶକ୍ତି ପୂଜକ ସଂଘର କର୍ମକର୍ତା ଦେବୋତ୍ତର କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Advertisment

ସଂଘ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ସମୟରେ ଦୀର୍ଘ ୯ ମାସ ଧରି ସମସ୍ତ ମଠ, ମନ୍ଦିର ବନ୍ଦ ରହିଥିଲା । ଏଥିରେ କାମ କରି ନିଜର ପରିବାର ଚଳାଉଥିବା ସେବାୟତ, ପୂଜକମାନେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଗଲେ । ଅନେକ ନିଜର ସନ୍ତାନଙ୍କୁ ପାଠ ମଧ୍ୟ ପଢ଼ାଇପାରିଲେ ନାହିଁ । ଏହି ସମୟରେ ଏକାଧିକ ଥର ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଲିଖିତ ସ୍ମାରକ ଦିଆଯାଇଥିଲା ।

ରାଜ୍ୟ ସରକାର ମଧ୍ୟ ସେବାୟତ ଓ ପୂଜକଙ୍କୁ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ହାଇକୋର୍ଟ ମଧ୍ୟ ଆର୍ଥିକ ସହାୟତା ଦେବା ପାଇଁ ରାୟ ଦେଇଥିଲେ । କିନ୍ତୁ ବର୍ତମାନ ସୁଦ୍ଧା କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।

ଆଲୋଚନା ବେଳେ ସେବାୟତଙ୍କୁ ୪ ଡେସିମଲ ଜାଗା, ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଅର୍ଥର ବ୍ୟବସ୍ଥା କରିବାକୁ କହିଥିଲେ ବୋଲି ସେବାୟତ ସଂଘର ବୈକୁଣ୍ଠ ମହାପାତ୍ର କହିଛନ୍ତି । ଏହି ସାକ୍ଷାତ ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୁଣନିଧି ମହାପାତ୍ର, ବିଜୟ ମହାପାତ୍ର, କବିରାଜ ମହାପାତ୍ର, ବିକ୍ରମ ମହାପାତ୍ର, ରାମଚନ୍ଦ୍ର ରଣା, ତ୍ରିନାଥ ମହାପାତ୍ର, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।