ବାରିପଦା/ରାଇରଙ୍ଗପୁର: ନିଖିଳ ଓଡ଼ିଶା ସାନ୍ତାଳୀ ଛାତ୍ର ଅଭିଭାବକ କ୍ରିୟାନୁଷ୍ଠାନ କମିଟି ତରଫରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମ୍ମୁଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ ଏବଂ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୦୩ ଡିସେମ୍ବର ୨୨ରେ ସାନ୍ତାଳୀ ଭାଷାକୁ ଭାରତ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯାଇ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ସାନ୍ତାଳୀ ଭାଷାରେ ଶିକ୍ଷା କ୍ଷେତ୍ରରେ ବିଶେଷ ପ୍ରଗତି ଘଟି ନଥିବାରୁ କମିଟି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।
କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ଅନୁଷ୍ଠାନରେ ସାନ୍ତାଳୀ ଭାଷା ପ୍ରଚଳନ କରାଯିବା ସହିତ ଏଥିପାଇଁ ଅଲଚିକି ଲିପି ବ୍ୟବହାର କରିବା, ଭାରତୀୟ ମୁଦ୍ରାର ମୂଲ୍ୟ ସାନ୍ତାଳୀ ଭାଷା (ଅଲଚିକି)ରେ ଲେଖାଯିବା, ଏନ୍ଆଇଓଏସ୍ ଏବଂ ଇଗନୋ ଆଦି ଦୂରନିରନ୍ତର ଶିକ୍ଷା କ୍ଷେତ୍ରରେ ସାନ୍ତାଳୀ ଭାଷାର ପ୍ରଚଳନ, ଦୂରଦର୍ଶନ ଓ ଆକାଶବାଣୀରେ ଦୈନିକ ସାନ୍ତାଳୀ ସମ୍ବାଦ ଓ କାର୍ଯ୍ୟକ୍ରମ ପ୍ରସାରଣ କରିବା, ମୟୁରଭଞ୍ଜର ରାଇରଙ୍ଗପୁର ଠାରେ ଅଲଚିକି ଲିପି ସୃଷ୍ଟି କର୍ତ୍ତା ପଣ୍ଡିତ ରଘୁନାଥ ମୁର୍ମ୍ମୁଙ୍କ ନାମରେ କେନ୍ଦ୍ରୀୟ ଆଦିବାସୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ଆଦି ବଷୟରେ ଆଲୋଚନା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ଉପରୋକ୍ତ ଦାବି ଗୁଡ଼ିକ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀମତୀ ମୁର୍ମ୍ମୁ ଆଶ୍ଵାସନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ସୁନାରାମ ସୋରେନ, ସମ୍ପାଦକ ବିରୁ ମାରାଣ୍ଡି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଭାରତର ଆଦିବାସୀ ମାନଙ୍କ ମଧ୍ୟରେ ସାନ୍ତାଳ ସମ୍ପ୍ରଦାୟ ଅନ୍ୟତମ। ସାନ୍ତାଳ ମାନେ ଭାରତର ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ଆଦି ରାଜ୍ୟରେ ବାସ କରନ୍ତି। ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ ହୋଇଥିଲେ ଶିକ୍ଷା କ୍ଷେତ୍ରରେ ଉପେକ୍ଷିତ ହୋଇ ଆସୁଥିବା ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/IMG-20210917-WA0030.jpg)