ଥମୁନି ସୁପର ସ୍ପେଶିଆଲିଟି ହସ୍ପିଟାଲ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷାଧିକ ପୋଷ୍ଟକାର୍ଡ ପଠାଇବ ନାଗରିକ ସୁରକ୍ଷା କମିଟି

ରାଉରକେଲା: ଇସ୍ପାତ ସ୍ନାତକତ୍ତୋର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ନାଁରେ କେନ୍ଦ୍ର ସରକାର ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ପ୍ରତାରିତ କରିଛନ୍ତି। ମହାମହିମ ରାଷ୍ଟ୍ରପତିଙ୍କୁ ଅନ୍ଧାରରେ ରଖି କେବଳ ଏକ କୋଠାକୁ ଲୋକାର୍ପଣ କରାଯାଇଛି। ଯେଉଁଥିରେ କୌଣସି ସୁପର ସ୍ପେଶିଆଲିଟି ଡାକ୍ତର, ଆନୁଷଙ୍ଗିକ ଯନ୍ତ୍ରପାତି, ନର୍ସ, ପାରାମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଛି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମିତି ଗୁରୁତର ଅଭିଯୋଗ କରିଛି ନାଗରିକ ସୁରକ୍ଷା କମିଟି। କମିଟିର ଆବାହକ ବିଷ୍ଣୁ ମହାନ୍ତି, ସାହିତ୍ୟିକ ଭୂପେନ ମହାପାତ୍ର, ଅଦ୍ବୈତ ପ୍ରସାଦ ବିଶ୍ବାଳ, ସିପିଆଇ (ଏମ୍‌) ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ଓକିଲ ସଂଘର ସଭାପତି ରମେଶ ବଳ, ସମାଜସେବୀ ସଞ୍ଜିବ ମହାନ୍ତି, ବିଜେଡି ନେତା ଆନନ୍ଦ ମହାନ୍ତି, ଆର୍ତ୍ତ ମହାରଣା, ଦିଗାମ୍ବର ମହାନ୍ତି, ସିଟୁ ନେତା ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାସ, ରାଜକିଶୋର ପ୍ରଧାନ ପ୍ରମୁଖ କେନ୍ଦ୍ର ସରକାରଙ୍କ ଏଭଳି ତରବରିଆ ନିଷ୍ପତ୍ତିକୁ ଦୃଢ଼ ନିନ୍ଦା କରିଛନ୍ତି।

ଜିଲ୍ଲାବାସୀଙ୍କୁ ଏକାଠି କରି ଜନ ଆନ୍ଦୋଳନ ଗଢ଼ି ତୋଲିବାକୁ ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପ୍ରତିଶ୍ରୁତି ମନେ ପକାଇ ଦେବାକୁ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ସ୍ବାକ୍ଷରରେ ଲକ୍ଷ ଲକ୍ଷ ପୋଷ୍ଟକାର୍ଡ କମିଟି ପକ୍ଷରୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁନିଲ ପଟ୍ଟନାୟକ, ପିତାମ୍ବର ଲେଙ୍କା, ମଧୁସୂଦନ ମହାପାତ୍ର, ଅଭିରାମ ନାୟକ, ଝିନୁ ପ୍ରଧାନ, କୈଳାସ ସାହୁ, ହୃଦୟାନନ୍ଦ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର