ଦୁର୍ଗମ-ଅପହଞ୍ଚ ବଣ୍ଡାଘାଟିରେ ପଥପ୍ରାନ୍ତ ପାଠାଗାର

ମାଲକାନଗିରି: ଦୀପାବଳି ଉପଲକ୍ଷେ ମାଲକାନଗିରିର ଆଦିବାସୀ ଯୁବତୀମାନଙ୍କୁ ନେଇ ଗଠିତ ହୋଇଥିବା ବଡିଦିଦି ତରଫରୁ ଜିଲ୍ଲାର ସବୁଠାରୁ ଦୁର୍ଗମ ଏବଂ ଅପହଞ୍ଚ ଅଂଚଳ ବଣ୍ଡାଘାଟିରେ ପଥପ୍ରାନ୍ତ ପାଠାଗାର ଖୋଲାଯାଇଛି। ସମାଜସେବୀ ଜୟନ୍ତୀ ବୁରୁଦାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଭଳି ପଦକ୍ଷେପ ନିଆଯାଇଛି। ବଣ୍ଡାଘାଟିରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ନଥିବା ବେଳେ ଏହି ପଥପ୍ରାନ୍ତ ପାଠାଗାର ଏହି ଅଂଚଳର ଶିକ୍ଷିତ ଏବଂ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି ଜୟନ୍ତୀ କହନ୍ତି।

 

ଏହି ପଥପ୍ରାନ୍ତ ପାଠାଗାରରେ ବିଭିନ୍ନ ଶ୍ରେଣୀର ବହି, ବିଭିନ୍ନ ଚାକିରି ପାଇଁ ତାଲିମ ନେବା ବହି ସହ ମହାପୁରୁଷ ଏବଂ ଶିକ୍ଷଣୀୟ ବହି ରହିଥିବା ଦେଖିବାକୁ ମିଳିଛି। ଦୁନିଆର ସମସ୍ତ ଖବର ଯେପରି ବଣ୍ଡାଘାଟିର ଯୁବକଯୁବତୀମାନେ ସହଜରେ ପାଇପାରିବେ ସେନେଇ ଏହା ଏକ ବଡ ପ୍ରୟାସ ବୋଲି କୁହାଯାଇଛି। ଏହାପୂର୍ବରୁ ବଡିଦିଦି ପକ୍ଷରୁ ମାଲକାନଗିରି ଠାରେ ପଥପ୍ରାନ୍ତ ପାଠାଗାର କରି ସଫଳ ହୋଇଛନ୍ତି। ଲୋକେ ମୁକ୍ତ ଆକାଶ ତଳେ ବସି ବିଭିନ୍ନ ବହିର ମଜା ଉଠାଇବା ସହ ଜ୍ଞାନ ସଂଗ୍ରହ କରିପାରିଥିଲେ।ବଣ୍ଡାଘାଟିରେ ଏହି ପ୍ରୟାସ ଆରମ୍ଭ କରିବାରେ ବଡିଦିଦିର ସ୍ବେଚ୍ଛାସେବୀ ଭବାନୀ ହରିଜନ, ଜ୍ୟୋତିର୍ମୟୀ ଖରା, ମଧୁ ପଡିଆମି, ମାଳତୀ ଶିଶା, ସୁକାନ୍ତି କିରସାନୀ, ଲଛମି ମୁଦୁଲି, ବାଦଲ ବଡନାୟକ, ସୁମିତ ମାଢି ପ୍ରମୁଖ ରହିଛନ୍ତି। ଜୟନ୍ତୀ ବୁରୁଦା ଏହାକୁ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର