ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଥିବା କେନ୍ଦ୍ରୀୟ ଗ୍ରନ୍ଥଗାର ୭୩ ବର୍ଷ ମଧ୍ୟରେ ୩ଟି ଅସ୍ଥାୟୀ କୋଠାରେ କାର୍ଯ୍ୟକ୍ଷମ ହୋଇଥିଲା। ରୁସା ଅନୁଦାନରେ ୭୦ଲକ୍ଷରେ ନିର୍ମାଣ ହୋଇଥିବା ନିଜସ୍ବ କୋଠାକୁ ଗତ ୨୦୨୨ମସିହା ଏପ୍ରିଲ୍ ମାସରେ ସ୍ଥାନାନ୍ତର ହୋଇଥିଲା। ଏବେ ପୁଣି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଇ-ଲାଇବ୍ରେରୀ ନିର୍ମାଣ ପାଇଁ ୬୦ଲକ୍ଷ ଅନୁଦାନ ଦେଇଥିଲେ। ୫୪ଲକ୍ଷରେ ଉପରମହଲାରେ ସଂପ୍ରସାରଣ କୋଠା ଏବେ ଧିରେ ସୁସ୍ଥେ ନିର୍ମାଣ ଚାଲିଛି। ଏବେ କେନ୍ଦ୍ରୀୟ ଗ୍ରନ୍ଥାଗାରରେ ଥିବା ୩୦ହଜାର ବହିକୁ ଜଣେ ମାତ୍ର କନିଷ୍ଠ ଲାଇବ୍ରେରିଆନ୍ ପରିଚାଳନା କରୁଛନ୍ତି। ଉଭୟ ସରକାର ମହାବିଦ୍ୟାଳୟ ନାଁରେ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରିଥିଲେ। ଏବେ ବିଶ୍ବବିଦ୍ୟାଳୟରେ ରୁପାନ୍ତରିତ ବି ହୋଇଛି। ଏବେ ଅଧିକା ପିଲା ବି ଆଗାମୀ ଶିକ୍ଷାବର୍ଷରେ ପଢ଼ିବେ। ତେବେ ଏହି ସ୍ଥିତି ଲାଗି ରହି ଖାଲି ପଡ଼ିଥିବା ପଦବୀ ପୁରଣ ନ ହେଲେ କିଭଳି ସେମାନଙ୍କୁ ଗ୍ରନ୍ଥାଗାର ସହାୟତା ପ୍ରଦାନ କରିବ ତାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିବାଭକ ମହଲରେ ପ୍ରଶ୍ନ ଉଠିଛି। ସେଭଳି ପୁରୁଣା ଦିୱାନବଙ୍ଗଳାରୁ ନୂଆ କୋଠାକୁ ବହି ସ୍ଥାନାନ୍ତର ସମୟରେ ସ୍ଥାନ ଅଭାବରୁ ୩୦ହଜାରରୁ ଉର୍ଦ୍ଧ୍ବ ବହି ଆସି ପାରି ନଥିଲା। ସଂପ୍ରତି ଏସବୁ ବହି ଦିୱାନବଙ୍ଗଳାର ଉପରମହଲାରେ ରହି ଖତ ଖାଉଛି। ପ୍ରକାଶଯୋଗ୍ୟ, ସଂପ୍ରତି ଗ୍ରନ୍ଥାଗାରରେ ପଢ଼ିବା ପାଇଁ ହଜାର ହଜାର ବହି ରହିଛି। ଚୌକି ଟେବୁଲ୍ ଧାଡି ଧାଡି ହୋଇ ପଡିଛି।

Advertisment

ବହିଗୁଡିକୁ ସୁନ୍ଦର ଭାବରେ ଥାକରେ ସଜାଯାଇଛି। କିନ୍ତୁ ଏହି ପାଠାଗାରକୁ ଚଲାଇବା ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ଗତ ୨୦୧୬ ମସିହାରେ ଜଣେ ଆସିଣ୍ଟାଣ୍ଟ ଲାଇବ୍ରେରୀଆନ୍ ଅବସର ପରେ ବର୍ଷକ ତଳେ ନିଯୁକ୍ତ କନିଷ୍ଠ ଲାଇବ୍ରେରିଆନ୍ ଦ୍ବାରା ହିଁ ଏତେ ବଡ ପାଠାଗାର ପରିଚାଳନା ହେଉଛି। କେନ୍ଦ୍ରୀୟ ପାଠାଗାର ପାଇଁ ଜଣେ କନିଷ୍ଠ ଲାଇବ୍ରେରିଆନ୍, ୨ ଜଣ ଆସିଣ୍ଟାଣ୍ଟ୍ ଲାଇବ୍ରେରୀଆନ୍ ଓ ୩ ଜଣ ଆଟେଣ୍ଡାଣ୍ଟର ପଦବୀ ରହିଛି। କିନ୍ତୁ ଏଥିରୁ ୫ଟି ପଦବୀ ଖାଲି ପଡ଼ିଛି। ଦିନ ମଜୁରୀ ବ୍ୟବସ୍ଥାରେ ସହଯୋଗ ପାଇଁ ଜଣେ ଆଟେଣ୍ଡାଣ୍ଟକୁ ନିୟୋଜିତ କରାଯାଇଛି। ଅବିଭକ୍ତ କୋୀରାପୁଟ ଜିଲ୍ଲାରେ ପ୍ରମୁଖ ଉଚ୍ଚଶିକ୍ଷାର ଅନୁଷ୍ଠାନ ହେଉଛି ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ବବିଦ୍ୟାଳୟ। ଯେଉଁଠି ଯୁକ୍ତ ୨ ଠାରୁ ଆରମ୍ଭ କରି ସ୍ନାତକ ଓ ସ୍ନାତୋକତ୍ତର ପର୍ଯ୍ୟନ୍ତ ୨୪ଟି ବିଭାଗ ରହିଛି।

ଏଠାରେ ଏବେ ୬ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଗାମୀ ଦିନରେ ପୁର୍ଣ୍ଣାଙ୍ଗ ବିଶ୍ବବିଦ୍ୟାଳୟ ଆରମ୍ଭ ହେଲେ ଛାତ୍ରଛାତ୍ରୀ ସଂଖ୍ୟରେ ମଧ୍ୟ ବୃଦ୍ଧି ପାଇବ। ଏତେ ସଂଖ୍ୟକ ପିଲାଙ୍କ ପାଇଁ ଗୋଟିଏ ମାତ୍ର କେନ୍ଦ୍ରୀୟ ପାଠାଗାର ରହିଛି। ଯେଉଁଠାରେ ଛାତ୍ରଛାତ୍ରୀମାନେ ବହି ଆଣି ଘରେ ପଢ଼ିବା ସହ ସେଠାରେ ପଢ଼ିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ମହାବିଦ୍ୟାଳୟ ଆରମ୍ଭ ହେବା ଠାରୁ ପାଠାଗାରର ନିଜସ୍ବ କୋଠା ନଥିଲା। କେବେ କମର୍ସ ବିଭାଗ, ଦିୱାନ୍ ବଙ୍ଗଳାରେ ପାଠାଗାର ରହିଥିଲା ତ ଆଉ କେତେବେଳେ ଉତ୍କଳମଣି ଛାତ୍ରାବାସଠାରେ ଚାଲିଥିଲା। ଏଭଳି ସ୍ଥିତିରେ ପାଖାପାଖି ୭୩ ବର୍ଷ ପାଠାଗାର ୩ଟି ଅସ୍ଥାୟୀ କୋଠାରେ କାର୍ଯ୍ୟକ୍ଷମ ପରେ ୨୦୨୨ ଏପ୍ରିଲ୍ ମାସରେ ନିଜସ୍ବ କୋଠାକୁ ସ୍ଥାନାନ୍ତର ହେଲା। ତେବେ ଦିୱାନ୍ ବଙ୍ଗଳାରେ ଥିବା ୬୦ହଜାରରୁ ଉର୍ଦ୍ଧ୍ବ ବହିରୁ ମାତ୍ର ୩୦ହଜାର ବହି ହିଁ ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି। ଏହି ୩୦ହଜାର ବହି ଏବେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଓ ଅଫଲାଇନରେ ଦିଆଯାଉଛି। ବାକି ବହି ସବୁ ବଙ୍ଗଳାର ଉପରମହଲାରେ ଖତ ଖାଇ ସେଭଳି ପଡ଼ି ରହିଛି। ସେଗୁଡିକର ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏବେ ସେହି ବହି ଗୁଡିକର ଅବସ୍ଥା କିଭଳି ରହିଥିବ ତାହା ସହଜେ ଅନୁମେୟ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତାରେ ୫୪ଲକ୍ଷର ଟେଣ୍ଡର ନେଇ ଗତ ସେପ୍ଟେମ୍ବର ୭ ତାରିଖରେ ଉପରମହଲା କୋଠା କାମ ଆରମ୍ଭ କରିଛି ଠିକା ସଂସ୍ଥା। ନଭେମ୍ବର ୧୫ତାରିଖ ସୁଦ୍ଧା ଏହାକୁ ହସ୍ତାନ୍ତର କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ତେବେ ନିର୍ମାଣ କାମ ଧିରେ ସୁସ୍ଥେ ହେଉଥିବାରୁ ଧାର୍ଯ୍ୟ ସମୟରେ ଏହା ସରିବ କି ବୋଲି ପ୍ରଶ୍ନ ଉଠିଛି। ଗୋଟିଏ ପରେ ଗୋଟିଏ ବ୍ୟକ୍ତି ଅବସରରେ ପରେ ସେଠାରେ ଆଉ ନିଯୁକ୍ତି ହୋଇପାରି ନାହିଁ, ଗତ ବର୍ଷ ଜଣେ କନିଷ୍ଠ ଲାଇବ୍ରେରିଆନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର । ସଂପ୍ରସାରିତ ଇ-ଲାଇବ୍ରେରୀର ନିର୍ମାଣ ସରିଲେ କିଛି ମାତ୍ରାରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ରେଜିଷ୍ଟ୍ରାର।