ସୁନ୍ଦରଗଡ଼: ସୁନ୍ଦରଗଡ଼ ଖାଉଟି ବିବାଦ ପ୍ରତିକାର ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରି ଭାରତୀୟ ଜୀବନବୀମା କର୍ତ୍ତୃପକ୍ଷଙ୍କୁ ଏକ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପତ୍ନୀଙ୍କୁ ଦୁର୍ଘଟଣା ସୁବିଧା ବା ସହାୟତା ୧୩ ଲକ୍ଷ ୬୯ ହଜାର ଟଙ୍କା ଦେବାକୁ ଆଦେଶ କରିଛନ୍ତି। ଦୁର୍ଘଟଣାରେ ମୃତ୍ୟୁ  ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଦାଖଲ କରି ନଥିବା ଦର୍ଶାଇ ଜୀବନବୀମା ନିଗମର ପାନପୋଷ ଶାଖା ପ୍ରବନ୍ଧକ ସହାୟତା ରାଶି ଦେବାକୁ ମନା କରି ଦେଇଥିଲେ। ଏହା ପରେ ମୃତକଙ୍କ ପତ୍ନୀ ଦାଏର କରିଥିବା ମାମଲାର ବିଚାର କରି  ଆୟୋଗ ଏହି ଆଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀ ଅନୁସାରେ, ରାଜଗାଙ୍ଗପୁରର ଦଲବିନ୍ଦର ସିଂ ୧୮.୭.୨୦୨୨ରେ ଛତିଶଗଡ଼ ରାଜ୍ୟ ରାଏଗଡ଼ରେ ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଆରପି ଉଦ୍ଧାର କରି ରାୟଗଡ଼ସ୍ଥ ଶ୍ରୀ ବାଲାଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପତ୍ନୀ ସରବଜିତ କଉର ଭାଙ୍ଗୁ ରାୟଗଡ଼ ଯାଇ  ସନ୍ତୋଷଜନକ ଚିକିତ୍ସା ମିଳୁ ନଥିବା ନ ଦେଖି ୧୯ ତାରିଖରେ ଦଲବିନ୍ଦରଙ୍କୁ ଘରକୁ ନେଇ ଆସିଥିଲେ। ସେହି ସମୟରେ ଜୀବନବୀମା କର୍ତ୍ତୃପକ୍ଷ ଦୁର୍ଘଟଣାଜନିତ ବୀମା ଟଙ୍କା ୧୩ ଲକ୍ଷ ୬୯ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହା ପରେ ଜୁଲାଇ ୩୦ ତାରିଖରେ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଇଠି ଦଲବିନ୍ଦରଙ୍କ ମୃତ୍ୟୁ ହୋଇଗଲା। ବୀମା ନୀତି ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାରକୁ ବୀମା ସୁବିଧା ମିଳିବା କଥା। ଏ ନେଇ ପତ୍ନୀ ସରବଜିତ କଉର ଜୀବନବୀମା କାର୍ଯ୍ୟାଳୟରେ ଦାବି  କରିଥିଲେ। କର୍ତ୍ତୃପକ୍ଷ ଦଲବିନ୍ଦରଙ୍କ ମୃତ୍ୟୁ ସମ୍ପର୍କିତ ଏତଲା, ପଞ୍ଚନାମା, ଶବ ବ୍ୟବଚ୍ଛେଦ ଓ ପୁଲିସ ରିପୋର୍ଟ ଦାଖଲ କରିବାକୁ କହିଥିଲେ। କିନ୍ତୁ ଦଲବିନ୍ଦରଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀ ବ୍ୟସ୍ତ ବିବ୍ରତ ଥିବାରୁ ଥାନାରେ ଏତଲା ଦେଇ ନଥିଲେ।

ଅନ୍ୟପଟେ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ପୁଲିସକୁ ରିପୋର୍ଟ କରି ନଥିଲେ। ତେବେ ଡାକ୍ତରଖାନା ରିପୋର୍ଟରେ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଉଲ୍ଲେଖ କରିଥିଲେ।  ପତ୍ନୀ ଏସବୁ କାଗଜପତ୍ର ଦାଖଲ କରି ନପାରିବା ଦର୍ଶାଇ   ଜୀବନବୀମା କର୍ତ୍ତୃପକ୍ଷ ମୃତ୍ୟୁ ସହାୟତା ଦେବାକୁ ମନା କରିଦେଇଥିଲେ। ଏହା ପରେ ସରବଜିତ ୨୦.୪.୨୦୨୩ରେ ସୁନ୍ଦରଗଡ଼ ଖାଉଟି ବିବାଦ ପ୍ରତିକାର ଆୟୋଗରେ ଅର୍ଜି ଦାଏର କରିଥିଲେ। ଆୟୋଗ ମାମଲାକୁ ଗ୍ରହଣ କରି ସମସ୍ତ ପକ୍ଷଙ୍କୁ ଶୁଣିଥିଲେ।  ୭.୩.୨୦୨୪ରେ  ଜବାବ ସୁଆଲ ହୋଇଥିଲା। ଏହା ପରେ  ୧୮.୪.୨୦୨୪ ଆୟୋଗ ରାୟ ପ୍ରକାଶ କରି ଏତଲା, ପଞ୍ଚନାମା, ଶବ ବ୍ୟବଚ୍ଛେଦ ଓ ପୁଲିସ ରିପୋର୍ଟ ନଥିବା ଦର୍ଶାଇ ବୀମା କମ୍ପାନି ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ଦେବାକୁ ମନା କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହା ସହ  ମୃତ ଦଲବିନ୍ଦରଙ୍କ ପତ୍ନୀ ସରବଜିତଙ୍କୁ ୩୦ ଦିନ ମଧ୍ୟରେ ୧୩ ଲକ୍ଷ ୬୯ ହଜାର ୪୯୬ ଟଙ୍କା ସହ  କ୍ଷତିପୂରଣ ୩୦ ହଜାର ଓ ମାମଲା ପରିଚାଳନା  ଖର୍ଚ୍ଚ  ୫ ହଜାର ଟଙ୍କା ଦେବାକୁ ଆଦେଶ କରିଛନ୍ତି। ଏହି ସମୟ ମଧ୍ୟରେ ଆଦେଶ ମୁତାବକ ସହାୟତା  ଓ କ୍ଷତିପୂରଣ ରାଶି ପ୍ରଦାନ ନକଲେ କର୍ତ୍ତୃପକ୍ଷ ବର୍ଷିକ ୯ ପ୍ରତିଶତ ପ୍ରଦାନ କରିବାକୁ ବାଧ୍ୟ ହେବେ ବୋଲି ସୁନ୍ଦରଗଡ଼ ଖାଉଟି ବିବାଦ ପ୍ରତିକାର ଆୟୋଗ ସଭାପତି ରମାକାନ୍ତ ଶତପଥୀ, ସଭ୍ୟ ସଦାନନ୍ଦ ତ୍ରିପାଠୀ ଆଦେଶରେ ଉଲ୍ଲେଖ କରିଛନ୍ତି। ମାମଲାକୁ ଆଇନଜୀବୀ ସି.ଏମ. ପଟେଲ, ବାଦଲ ଚୌଧୁରୀ, ଶ୍ୟାମସୁନ୍ଦର ମିଶ୍ର, ଏସ.କେ. ପଟ୍ଟନାଏକ ପରିଚାଳନା କରିଥିଲେ।