ଏଲଆଇସି ଏଜେଣ୍ଟ ଲୁଟ୍ ମାମଲା; ୫ଗିରଫ, ୨ବାଇକ ଜବତ

ଜୟପୁର: ଗତ କାଲି ଦିନ ଦୁଇଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ସୁନାରୀଗୁଡ଼ା ଗାଁ ନିକଟରେ ଏଲଆଇସି ଏଜେଣ୍ଟ କ୍ଷିରୋଦ ଚନ୍ଦ୍ର ପୋଥାଳଙ୍କ ଠାରୁ ୧୦ହଜାର ଟଙ୍କା ଓ ମୋବାଇଲ୍ ଫୋନ ଲୁଟ୍ ହୋଇଥିଲା। ଏହି ମାମଲାରେ ଜୟପୁର ସଦରଥାନା ପୁଲିସକୁ ମିଳିଛି ସଫଳତା। ଏଥିରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ଠାରୁ ୮ହଜାର ୫୦ଟଙ୍କା, ୨ଟି ମୋବାଇଲ୍ ଫୋନ, ଲୁଟରେ ବ୍ୟବହୃତ ୨ଟି ବାଇକକୁ ଜବତ କରିଛି। ମିଳଥିବା ସୂଚନା ଅନୁଯାୟୀ, ଗତ କାଲି କ୍ଷିରୋଦ ପାମ୍ପୁଣୀ ଯାଇଥିଲେ। ‌ସେଠାରେ ନିଜ ଗ୍ରାହକଙ୍କ ଏଲଇସି ପଲିସି ପାଇଁ ଜମା ଦେବା ଟଙ୍କା ୧୦ହଜାର ସଂଗ୍ରହ କରି ନିଜ ବାଇକରେ ଫେରୁଥିଲେ। ଏହି ସମୟରେ ୨ଟି ବାଇକ ପଲସର ଓଡି୧୦ଏମ-୯୧୯୮ ଓ ହିରୋହେଣ୍ଡା ଡିଲକ୍ସ ଓଡି୧୦ଏଫ-୦୯୫୨ରେ ଜୟନଗର ଦାସିରିସାହିର ସମିର ମହାପାତ୍ର(୧୯), ବିଷ୍ଣୁ ହରିଜନ(୧୯), ଜୟନଗର ପାଇକସାହିର ବାବୁଲା ବାହାଦୁର(୧୯), ସୁନିଲ ଆଚାର୍ଯ୍ୟ(୧୮), ଦିଗାପୁରର ଶଙ୍କର ଦଣ୍ଡସେନା (୩୦) ତାଙ୍କୁ ପିଛା କରିଥିଲେ।

Sambad

ଶୁନଶାନ୍ ଜାଗା ଦେଖି ତାଙ୍କୁ ଗାଡ଼ି ଅଟକାଇବା ଭୟଭୀତ କରି ତାଙ୍କୁ ମାଡ଼ ମାରିଥିଲେ। ତାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା ଓ ଜେ-୨ ସାମସଙ୍ଗ ସ୍ମାର୍ଟ ଫୋନକୁ ଲୁଟି ନେଇ ଚମ୍ପଟ ମାରିଥିଲେ। ଅଭିଯୁକ୍ତ ମାନେ ମୁହଁରେ ମାସ୍କ ପିନ୍ଧିଥିଲେ। କ୍ଷିରୋଧ ଏ ନେଇ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ। ସୂଚନା ପାଇବା ମାତ୍ରକେ ଜୟପୁର ସଦରଥାନା ଓଆଇସି ଆଦିତ୍ୟ ମହାକୁର ସଦଳବଳ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସାମାନ୍ୟ ସୁରାକ୍ ମିଳିବା ପରେ ଗତ କାଲି ସଂଧ୍ୟା‌ରେ ଅଭିଯୁକ୍ତ ମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ଉପରୋକ୍ତ ଟଙ୍କା, ୨ଟି ମୋବାଇଲ୍ ଫୋନଓ ୨ଟି ବାଇକ୍ ଜବତ କରିଥିଲେ। ଅଭିଯୁକ୍ତ ୫ଜଣଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ପୁଲିସର ତ୍ବରିତ ପଦକ୍ଷେପ ଫଳରେ ୫ଅଭିଯୁକ୍ତ ଗିରଫ ହେବା ସହ ଟଙ୍କା ମିଳିଥିବାରୁ ପୁଲିସକୁ ସାଧାରଣ‌ରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର