ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ଆଜି ଭୋର ଭୋରୁ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା କଏଦୀଜଣକ ହେଉଛନ୍ତି ତ୍ରିଲୋଚନ ମଲ୍ଲିକ ଓ ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ।
ମିଳିଥିବା ସୂଚନା ଅନୁଯାୟୀ, ୨୦୦୬ ମସିହାରେ ତ୍ରିଲୋଚନ ତାଙ୍କ ପୁତୁରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏହି ଘଟଣାରେ ୨୦୦୯ ମସିହାରେ ତ୍ରିଲୋଚନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥିପାଇଁ ୨୦୦୯ ମସିହାରେ ସେ ପୁରୀ ଜିଲ୍ଲା ଜେଲରେ ଥିଲେ। ତେବେ ମଝିରେ ତାଙ୍କର ମାନସିକ ଅବସ୍ଥା ଠିକ୍‌ ନ ରହିବାରୁ ତାଙ୍କୁ କିଛିଦିନ ପାଇଁ ଚୌଦ୍ୱାର ସର୍କଲ ଜେଲରେ ରଖାଯାଇ ତାଙ୍କର ସେଠାରେ ଚିକିତ୍ସା କରାଯାଇଥିଲା। ପରେ ୨୦୧୪ ମସିହା ଫେବ୍ରୁଆରି ମାସରେ ତ୍ରିଲୋଚନ ପୁଣି ଥରେ ପୁରୀ ଜଲକୁ ଫେରିଥିଲେ। ଗତକାଲି ସନ୍ଧ୍ୟାରେ ସେ ପାଇଖାନା ଯାଇ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେ ଶୋଇପଡ଼ିଥିଲେ। ଆଜି ଭୋର ଭୋରରୁ ସେ ଥରୁଥିବା କେତେକ କଏଦୀ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର