ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ଦୌରଜଜଙ୍କ କୋର୍ଟ ଧରୁଆଡିହି ଥାନା ତଳସରାରେ ଘଟିଥିବା ଏକ ଜଘନ୍ୟ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ୨୦୧୭ ଜାନୁଆରି ୯ ସକାଳେ ଗାଁର ରଂଜନ କାଲୋ (୩୫) ଜଣେ ବୃଦ୍ଧା ଫୁଲମତି ବାରିକ (୭୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ରଂଜନକୁ ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାଏକ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟରେ ଜେଲଦଣ୍ଡ ୬ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ମାମଲା ଅନୁସାରେ, ୨୦୧୭ ଜାନୁଆରି ୮ ତାରିଖ ରାତିରେ ରଂଜନ କାଲୋ କୌଣସି କଥାକୁ ନେଇ ତା ସ୍ତ୍ରୀ ସହ ଝଗଡା କରୁଥିଲା। ତା, ବାପା-ମା ଏହାର ପ୍ରତିରୋଧ କରିବାରୁ ରଂଜନ ଚୁଲି ଫୁଙ୍କା ଲୁହାନଳୀରେ ସେମାନଙ୍କୁ ପ୍ରହାର କରି ମୁଣ୍ଡ ଫଟାଇ ଦେଇଥିଲା।
ଗାଁ ଲୋକେ ଆହତ ବାପା-ମାଙ୍କୁ ଡାକ୍ତରଖାନା ନେଇଥିଲେ। ଏପଟେ ୯ ତାରିଖ ସକାଳେ ଗାଁର ଅନ୍ୟ ଜଣେ ବୃଦ୍ଧା ଫୁଲମତି ବାରିକ ଘର ମୁହଁକୁ ଝାଡୁ କରୁଥିବାବେଳେ ରଂଜନ ଆସି ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଥିଲା। ସୂଚନା ପାଇ ବୃଦ୍ଧାଙ୍କ ପୁଅ ଶୁକ୍ରୁ ବାରିକ ଘଟଣାସ୍ଥଳକୁ ପହଞ୍ଚି ମା ମରିପଡିଥିବା ଦେଖିବାକୁ ପାଇଥିଲା। ଏହା ପରେ ଶୁକ୍ରୁ ଧରୁଆଡିହି ଥାନାକୁ ଯାଇ ଏତଲା ଦେବା ପରେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବାବେଳେ ପୁଲିସ ରିପୋର୍ଟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ୨୦୨୩ ଡିସେମ୍ବର ୬ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ମାମଲାକୁ ଭାରପ୍ରାପ୍ତ ପିପି ଅଶୋକ କୁମାର ସ୍ବାଇଁ ପରିଚାଳନା କରିଥିଲେ।