ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ୨୦୧୬ରେ ଘଟିଥିବା ଏକ ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ବାସୁ ଇନ୍ଦୱାର (୩୩)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଧାରା ୩୦୨ରେ ବାସୁକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟରେ ଅଧିକ ୬ ମାସ ଦଣ୍ଡ ଭୋଗିବାକୁ ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଆଦେଶ ହୋଇଛି। ୨୧.୧୨.୨୦୧୬ରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେର୍ଣ୍ଣା ଖେରାମୁତା ଗାଁରେ ହତ୍ୟାକାଣ୍ଡଟି ଘଟିଥିଲା। ଘଟଣା ଦିନ ଅପରାଧୀ ବାସୁ ଗାଁ ପାଖ ପୋଖରୀକୁ ଯାଇଥିଲା।
ସେହି ସମୟରେ ଅଭୟ କୁମାର ବଳିୟାର ସିଂହ ନାମକ ଜଣେ ସ୍ବାସ୍ଥ୍ୟକର୍ମୀ ସର୍ଗିତୋଳି ଗ୍ରାମକୁ ସାଇକଲରେ ଯାଉଥିଲେ। ରାସ୍ତାର ଏକ ପାଖରେ ଠିଆ ହୋଇଥିବା ବାସୁ ଅଭୟଙ୍କ ଉପରକୁ ପଥର ଫିଙ୍ଗିଥିଲା। ସ୍ୱାସ୍ଥ୍ୟକର୍ମୀ ତଳେ ପଡ଼ିଯିବା ପରେ ସାଇକଲରେ ଥିବା ବ୍ୟାଗକୁ ଛଡ଼ାଇ ପଳାଇ ଯିବାକୁ ଉଦ୍ୟମ କରିଥିଲା। ଠିକ୍ ଏହି ସମୟରେ ପୋଖରୀକୁ ଗାଧୋଇବାକୁ ପହଞ୍ଚିଥିବା ମୃତକ ଦୌଡ଼ି ଯାଇ ଆହତ ସ୍ୱାସ୍ଥ୍ୟକର୍ମୀକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ବାସୁ ମୃତକଙ୍କ ମୁଣ୍ଡରେ ପଥର ମାଡ଼ କରିଥିଲା। ମୃତକ ତଳେ ପଡ଼ିଯିବା ପରେ ବାସୁ ଏକ ବଡ଼ ପଥରରେ ମୁଣ୍ଡକୁ ଛେଚି ଦେଇଥିଲା। ପୋଖରୀରେ ଅନ୍ୟ ପାଖରେ ଗାଧୋଉଥିବା ଅନ୍ୟ ଲୋକମାନେ ମୃତକଙ୍କ ଚିତ୍କାର ଶୁଣି ଧାଇଁ ଆସି ବାସୁକୁ କାବୁ କରିଥିଲେ । ମୃତକଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ରାଜଗାଙ୍ଗପୁର ଥାନାରେ ପରିବାର ଲୋକେ ଏତଲା ଦେବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ବାସୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସର ଚୂଡ଼ାନ୍ତ ରିପୋର୍ଟ, ୨୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ଼ଯୁକ୍ତି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଜଜ୍ ଦଣ୍ଡାଦେଶ କରିଥିଲେ। ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରୁଥିଲେ।