କୋଇଡା: କ୍ଷଣିକ ରାଗ ପାଇଁ ଏକ ବଡ଼ ଅପରାଧ କରି ନିଜ ଜୀବନ ସହିତ ନିଜ ପରିବାରର ଡଙ୍ଗାକୁ ମଝି ଦରିଆରେ ଭସାଇ ଦେଇ ଆଜୀବନ ସଜ୍ଜା ଭୋଗିବା ପରେ ଏବେ ଜେଲ୍‌ର ଚାରି କାନ୍ଥ ଭିତରୁ ମୁକୁଳି ସେ ଦେଖୁଛନ୍ତି ଛାଡ଼ି ଯାଇଥିବା ପୁରୁଣା ଦୁନିଆକୁ। ନିକଟରେ ଓଡ଼ିଶା ଷ୍ଟେଟ୍ ସେଣ୍ଟନ୍ସ ରେଭିନ୍ୟୁ ବୋର୍ଡର ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିଛନ୍ତି ୮ ଜଣ ବର୍ଷିଆନ କଏଦୀ। ସେଥିମଧ୍ୟରୁ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ୍ କୁଳିପୋଷ କଲୋନୀର ବାସିନ୍ଦା ମକରୁ ନାଏକ ମଧ୍ୟ ରାଉରକେଲା କାରାଗାରରୁ ମୁକୁଳିଛନ୍ତି। ତାଙ୍କର ଭଲ ବ୍ୟବହାର ଓ ଅନୁତାପ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରୁ ମୁକ୍ତ କରା ଯାଇଛି।

ଏବେ ଖୋଲା ଆକାଶ ତଳେ ସଜାଡୁଛନ୍ତି ସଂସାର
ମକରୁ ନାଏକଙ୍କ ଅନୁତାପର କାହାଣୀ

Advertisment

ମକରୁ ନାଏକ କୁଳିପୋଷ କଲୋନୀରେ ଏକ ଝାଟିମାଟି ଘରେ ରହି ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ। ପରିବାର କହିଲେ, ସ୍ତ୍ରୀ ଓ ପୁଅଟିଏ। ଯଥାକଥା ଜୀବନ ଚାଲିଥିଲା। ହେଲେ ୨୦୦୮ ମସିହାରେ ଏକ ଭୁଲ୍ ଓ କ୍ଷଣିକ ରାଗ ପାଇଁ ତାଙ୍କ ଓ ପରିବାର ଜୀବନରେ କଳା ବାଦଲ ଢାଙ୍କି ହୋଇଗଲା। କଥା କଟାକଟିକୁ ନେଇ ତାଙ୍କ ବଡ ଭାଇଙ୍କ ପୁଅ, ଅର୍ଥାତ୍‌ ପୁତୁରାଙ୍କୁ ଟାଙ୍ଗିଆରେ ହାଣି ସେ ହତ୍ୟା କରିଥିଲେ। ତା’ପରେ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଥିଲେ। ସେତେବେ଼ଳକୁ ଘରେ ପତ୍ନୀ ବିଲେଇ ନାଏକ ଓ ୧୨ ବର୍ଷର ପୁଅ ଗୁଣନିଧି ନାଏକ। ସେମାନେ ଥିଲେ ତାଙ୍କ ଉପରେ ନିର୍ଭରଶୀଳ। ମକରୁ ଜେଲ୍ ଯିବା ପରେ ପତ୍ନୀ ଦିନମଜୁରିଆ ଭାବେ କାମକରି, ପର ଘରେ ବାସନ ମାଜି, କାଠ ବିକି ପୁଅକୁ ବଡ କଲେ। ପୁଅ ଗୁଣନିଧୀ ଧୀରେ ଧୀରେ ନିଜ ଗୋଡରେ ଠିଆ ହେବାପରେ ମାଆଙ୍କୁ ସାହାରା ହେଲେ। ପରେ ବିବାହ କଲେ। ସ୍ତ୍ରୀ ଆସିଲେ ଘରକୁ। ପିଲା ଆସିଲେ ସମୟକ୍ରମେ। ଘର ପୂରି ଉଠିଲା। ସରକାରୀ ସହାୟତାରେ ସେ ପକ୍କା ଘର ଖଣ୍ଡେ ମଧ୍ୟ କଲେ। ହେଲେ ତାଙ୍କ ପିଲାମାନେ ଜେଜେ ବାପା କିଏ ଜାଣି ପାରିଲେ ନାହିଁ। ତା’ଭିତରେ ବଣାଇଁ ଜେଲ୍‌ରେ ଦୀର୍ଘ ୧୩ ବର୍ଷ ଦଣ୍ଡ ଭୋଗିବା ପରେ ରାଉରକେଲା ଜେଲ୍‌କୁ ସ୍ଥାନାନ୍ତରିତ ହେଲେ ମକରୁ। ତେବେ ସରକାରଙ୍କ ନିଷ୍ପତ୍ତିକ୍ରମେ ଦୀର୍ଘ ୧୬ ବର୍ଷ ପରେ ଗତ ୨୬ ତାରିଖରେ ନିଜ ମାଟି, ନିଜ ଗାଁ ଓ ନିଜ ଘରକୁ ସେ ଫେରିଛନ୍ତି।

ଇତି ମଧ୍ୟରେ ସେ ନିଜେ ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି। ପଛରେ ଛାଡ଼ି ଆସିଥିବା ପତ୍ନୀ ମଧ୍ୟ ବୟସ୍କା ହେଲେଣି, ନାତି ନାତୁଣୀ ଖେଳେଇଲେଣି। ଘରେ ପହଞ୍ଚି ବୋହୂ ଓ ନାତି ନାତୁଣୀଙ୍କୁ ଦେଖି ମକରୁ ଭୋ ଭୋ କାନ୍ଦି ଉଠିଥିଲେ। ଆଜି ତାଙ୍କ ମନରେ ଅନୁତାପର କୋହ। ହେଲେ ଫେରିବା ବେଳକୁ ସେ ହଜାଇ ସାରିଛନ୍ତି ଜୀବନର ଅନେକ ବର୍ଷ, ପୂରା ୧୬ ବର୍ଷ। ଏବେ ତାଙ୍କ ପାଖରେ ଦୁଃଖ ଆଉ ଅନୁତାପ। ଏତେ ବର୍ଷ ପରେ ଗାଁକୁ ଫେରିଥିବାରୁ ଖୁସିରେ ମନ ଅଧୀର, କିନ୍ତୁ ତା’ଭିତରେ ତାଙ୍କ ଅନୁପସ୍ଥିତିରେ ବଦଳି ଯାଇଥିବା ଦୁନିଆକୁ ଦେଖି ତାଙ୍କ ମନରେ ବହୁ ଅନୁତାପ। କାରଣ ଏସବୁକୁ ବଦଳିଯିବାର ସେ ଦେଖି ପାରିଲେନି। ଦେଖି ପାରିଲେନି ପୁଅର ବାହାଘର। କ୍ଷଣିକ ଉତ୍ତେଜନାରୁ ସେ କରିଥିବା ବିରାଟ ଭୁଲ୍‌ ତାଙ୍କ ଜୀବନର ୧୬ ବର୍ଷ ହସିଖୁସିକୁ ଛଡ଼ାଇ ନେଇଥିଲା, ସେ କଥାକୁ ସେ ଆଜି ହୃଦୟଙ୍ଗମ କରୁଛନ୍ତି। ଆଉ ସମସ୍ତଙ୍କୁ କହୁଛନ୍ତି, କ୍ଷଣିକ ରାଗ କେତେ ଯେ ଭୟଙ୍କର ହୋଇପାରେ! ତେଣୁ ରାଗ ରୁଷା ଅଭିମାନ ଓ ଲୋଭକୁ ଭୁଲି ସମସ୍ତଙ୍କ ସହ ମିଳିମିଶି ରହିବାଲାଗି ସେ ବାର୍ତ୍ତା ଦେଉଛନ୍ତି।