ଅନୁଗୁଳ: ଜଣେ ଯୁବକଙ୍କୁ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ୬ ବର୍ଷ ତଳର ଏହି ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଅଭିଯୁକ୍ତ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରିସିଂହାର ରୋହିତ ନାଏକ(୪୬)କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଛନ୍ତି। ଏହାସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ତାକୁ ଅତିରିକ୍ତ ବର୍ଷେ ଜେଲ୍‌ରେ ରହିବାକୁ ପଡ଼ିବ। ମାମଲାର ବିବରଣୀ ଅନୁସାରେ, ୬ ବର୍ଷ ତଳେ ଅନୁଗୁଳ ସଦର ଥାନା କୁମୁରିସିଂହା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଥିଲା। କୁମୁରିସିଂହା ଗ୍ରାମର ରୋହିତ ନାଏକ ଓ ତାଙ୍କ ସାନ ଭାଇ ରାଜେନ୍ଦ୍ର ନାଏକଙ୍କ ଭିତରେ ଜମିଜମା ବିବାଦ ଲାଗି ରହିଥିଲା। ୨୦୧୭ ମାର୍ଚ୍ଚ ୭ ତାରିଖରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଭାଗ ହୋଇ ନ ଥିବା ପୈତୃକ ଜମିରେ ରୋହିତ ଘର କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଏଥିପାଇଁ ନିଅଁ ଖୋଳୁଥିଲେ।

Advertisment

ଏହାକୁ ବିରୋଧ କରିଥିଲେ ସାନ ଭାଇ ରାଜେନ୍ଦ୍ର। ଭାଗ ହୋଇ ନ ଥିବା ଜମିରେ କାହିଁକି ଘର କରୁଛ ବୋଲି ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ବଢ଼ିଥିଲା। ଏହି ସମୟରେ ରୋହିତ ରାଗି ତାଙ୍କ ସାନ ଭାଇ ରାଜେନ୍ଦ୍ରଙ୍କ ଛାତିକୁ ଏକ ଶାବଳରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ସେ ରକ୍ତବାନ୍ତି କରି ପ୍ରାଣ ହରାଇଥିଲେ। ଏ ସଂପର୍କରେ ରାଜେନ୍ଦ୍ରଙ୍କ ପତ୍ନୀ ରଂଜୁବାଳା ଅନୁଗୁଳ ଟାଉନ୍‌ ଥାନାରେ ଏତଲା ଦେଇଥିଲେ। ଏଥିନେଇ ପୁଲିସ ୧୨୦/୧୭ରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ରୋହିତକୁ ଗିରଫ କରିଥିଲା। ଏହି ମାମଲାର ବିଚାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଂଜିତା ଜ୍ୟୋତିଷୀଙ୍କ ଅଦାଲତରେ ଚାଲୁଥିଲା। ମୋଟ ୧୮ ଜଣଙ୍କ ସାକ୍ଷ୍ୟ ଆଧାରରେ ଅଦାଲତ ଅଭିଯୁକ୍ତ ରୋହିତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତାପସ ରଂଜନ ମିଶ୍ର ଓ ବିଶ୍ବଜିତ ବରାଳ ମାମଲାର ପରିଚାଳନା କରୁଥିଲେ।