ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଅଞ୍ଚଳରେ ୬ଟି ପଞ୍ଚାୟତର ଅଧିବାସୀ ବଜାର ସହ ଯୋଗାଯୋଗ ପାଇଁ ସୁବର୍ଣ୍ଣରେଖା ନଦୀ ଡଙ୍ଗାରେ ପାର ହେଉଥିବାରୁ ଏଠାରେ ଏକ ସେତୁ ନିର୍ମାଣ ପାଇଁ ଦାବି ହୋଇଛି। ଦାବି ପୂରଣ ନହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, ଜଳେଶ୍ଵର ବ୍ଲକର ମାକଡ଼ିଆ, ସର୍ଦ୍ଦାରବନ୍ଧ, ଓଲମରା, କାଳିକ, ରାଇବଣିଆ, ଖୁଆଡ଼ ଓ ଶ୍ୟାମନଗର ପଞ୍ଚାୟତ ୩୫ହଜାର ଲୋକେ ପଶ୍ଚିମବଙ୍ଗର ଦାନ୍ତୁନ ବଜାର ଉପରେ ନିର୍ଭର କରିଥାନ୍ତି। କାରଣ ଜଳେଶ୍ବର ସହର ଅପେକ୍ଷା ଦାନ୍ତୁନ ବଜାର ଏମାନଙ୍କର ଅତି ନିକଟରେ ରହିଛି। ଏ ଅଞ୍ଚଳରୁ ଉତ୍ପନ୍ନ ହେଉଥିବା ପନିପରିବା, ଧାନ, ଚାଉଳ, ମୁଗ, ବିରି ଓ ପ୍ରସିଦ୍ଧ ଟସର ଲୁଗା ବିକ୍ରି କରିବା ଓ ସେଠାରୁ ପୁଣି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଏହି ଦାନ୍ତୁନ ବଜାର ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ।
/sambad/media/post_attachments/wp-content/uploads/2022/07/db47cc42-30ba-4160-8256-a4ed0f89c9da-e1658845170582.jpg)
ସେହିପରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକମାନେ ଗୋପୀବଲ୍ଲଭପୁର-ଦାନ୍ତୁନ ଭାୟା ମାକଡ଼ିଆଆ ରାସ୍ତାରେ ହିଁ ତାଳସାରି, ଉଦୟପୁର, ଚନ୍ଦନେଶ୍ବର, ଦୀଘା ଆଦି ପର୍ଯଟନସ୍ଥଳୀକୁ ଯିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି। ପଶ୍ଚିମବଙ୍ଗ ସହ ଯୋଗାଯୋଗ ପାଇଁ ସୁବର୍ଣ୍ଣରେଖା ନଦୀ ବାଧକ ସାଜିଛି। ୨୦୧୭ ମସିହା ପରଠାରୁ ଖରାଦିନେ ଏଠାରେ ଲୋକଙ୍କ ଉଦ୍ୟମରେ ଏକ ଅସ୍ଥାୟୀ କାଠ ସେତୁ ନିର୍ମାଣ ହୋଇ ଆସୁଥିବା ବେଳେ ବର୍ଷାଦିନେ ଏହି ସେତୁ ଉଠି ଯାଉଥିବାରୁ ଲୋକେ ବାଧ୍ୟ ହୋଇ ଡଙ୍ଗାରେ ଯାତାୟାତ କରିଥାନ୍ତି। ବିଶେଷ କରି ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ସେହି ସମୟରେ ଲୋକେ ଅତି ବିପଦସଙ୍କୁଳ ଭାବେ ଡଙ୍ଗାରେ ନଦୀ ପାର ହୁଅନ୍ତି। ସେହି ଦୃଷ୍ଟିରୁ ମାକଡ଼ିଆଠାରେ ପଶ୍ଚିମବଙ୍ଗକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି।
ଜଳେଶ୍ବର ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମଧ୍ୟ ଅଞ୍ଚଳବାସୀଙ୍କ ଏହି ଦାବିକୁ ସମ୍ମାନ ଜଣାଇ ଏଠାରେ ଏକ ବିଜୁସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ସେତୁ ନିର୍ମାଣ ପାଇଁ ସମସ୍ୟା ହେଉଛି ନଦୀର ଅପର ପାର୍ଶ୍ଵ ପଶ୍ଚିମବଙ୍ଗର ହୋଇଥିବାରୁ ସେଥିପାଇଁ ପଶ୍ଚିମବଙ୍ଗର ଅନୁମତି ଦରକାର। ଏହି ସେତୁ ନିର୍ମାଣ ପାଇଁ ପୂର୍ବରୁ ରାଜନୈତିକସ୍ତରରେ ଏକ ବୈଠକ ଡକାଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସହଯୋଗ ନ କରିବାରୁ ସେତୁ ନିର୍ମାଣ ପ୍ରସଙ୍ଗ ଶୀତଳଭଣ୍ଡାରକୁ ଚାଲିଯାଇଥିଲା।
ଏବେ ପୁଣି ଏହି ସେତୁ ନିର୍ମାଣ ପାଇଁ ଦାବି ଜୋର ଧରିଛି। ସେତୁ ନିର୍ମାଣ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟରେ ସହମତି ପ୍ରକାଶ ପାଇଁ ସରକାରୀସ୍ତରରେ ଉଦ୍ୟମ ହେଉ ବୋଲି ସମୀର କୁମାର ଘଡେ଼ଇ, ଚନ୍ଦନ କୁମାର ସାହୁ, ନିମାଇଁ ଚରଣ ଘୋଷ, ସତ୍ୟନାରାୟଣ ଦାସ, ନବ କୁମାର ପାଳ, ତପନ ମିଶ୍ର, ଦୀପକ କୁମାର କାପୁଡ଼ି, ସଞ୍ଜୟ କୁମାର ଘୋଷ ଓ ସୀତାରାମ କାପୁଡ଼ି ପ୍ରମୁଖ ପ୍ରଶାସନକୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/20246aef-bd8f-4910-861c-42e7b34f6165.jpg)