ରାଉରକେଲା: ମୁଣ୍ଡ ଫଟା ତାତିରେ ଶୁନ୍ଶାନ୍ ଉଦିତନଗର ପୁରୁଣା କୋର୍ଟ ପରିସର। ବରଗଛ ତଳ ସିମେଣ୍ଟ ପିଣ୍ଡି ଉପରେ ଶୋଇ ପଡିଥିଲେ ଜଣେ ଦିନ ମଜୁରିଆ। ମୁଣ୍ଡ ପାଖରେ ବସିଥାଏ ୬ ବର୍ଷର କୁନି ଝିଅ। ଏମାନଙ୍କ ଭୋକର ଜ୍ବାଳା ମେଣ୍ଟାଇବାକୁ ପତ୍ନୀ ହାଣ୍ଡିରେ କେଇ ମୁଠା ଚାଉଳ ପକାଇ ଧୂଆଁ ବାହାରୁଥିବା କଞ୍ଚା କାଠିକୁ ଜଳିବାକୁ ଫୁଙ୍ଖୁଥାଏ। ପାଖରେ ଥୁଆ ହୋଇଥାଏ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମିଳିଥିବା ଗୋଟିଏ ଖାଦ୍ୟ ପୁଡିଆ। ମା’ ରୋଷେଇ କରୁଥିବା ଭାତ ହାଣ୍ଡିକୁ ବଲ ବଲ କରି ଚାହିଁଥାଏ ଭୋକରେ କୁନି ଝିଅ। ଏମିତି କରୁଣ ଚିତ୍ର ଦେଖି ଆମେ ପାଖକୁ ଯାଇଥିଲୁ।
ଶୋଇପଡିଥିବା ଦିନ ମଜୁରିଆକୁ ଡାକି ଉଠାଇଥିଲୁ। ପଚାରିଥିଲୁ, କାହିଁକି ଏହି ଗଛ ମୂଳେ ପଡିଛ? ଘର ନାହିଁକି ? କେତେ ଦିନ ଏଠାରେ ରହୁଛ, କେମିତି ଚଳୁଛି ? ଏଇ କେଇ ପଦ କଥା ଶୁଣିବା ପରେ ପରିବାର ଚିନ୍ତାରେ ଦିନ ମଜୁରିଆ କୁହ ସମ୍ଭାଳି ପାରି ନଥିଲେ। କହିଥିଲେ, ସାର୍। ପତ୍ନୀଙ୍କ ଗୋଡର ଚିକିତ୍ସାରେ ଟଙ୍କା ସରି ଯାଇଥିଲା। ଲକ୍ଡାଉନ୍ରେ ହାତବାନ୍ଧି ବସିଥିବାରୁ ଘର ଭଡା ଦେଇ ପାରିଲି ନାହିଁ। ଏଥିପାଇଁ ମାଲିକ ଆମକୁ ଘରକୁ ବାହାରି କରି ଦେଲେ। ନିରୁପାୟ ହୋଇ ବସ୍ତିରେ ମୁଣ୍ଡ ଗେଞ୍ଜିବାକୁ ଘର ଖୋଜିଲି। ସମସ୍ତେ ଆଡ୍ଭାନ୍ସ ମାଗିଲେ। ନେହୁରା ହୋଇଥିଲେ ହେଁ କେହି ଶୁଣିଲେ ନାହିଁ। ଶେଷରେ ପତ୍ନୀ ଓ ୬ ବର୍ଷର ଝିଅକୁ ଧରି ଚାଲି ଆସିଲି ଉଦିତନଗର ପୁରୁଣା କୋର୍ଟ ପରିସରରେ ଥିବା ବରଗଛ ମୂଳକୁ। ଏଠାରେ ୨୮ ଦିନ ହେବ ଆଶ୍ରୟ ନେଇଛି।
ରାତି ହେଲେ କୋର୍ଟ ବାରଣ୍ଡାରେ ଶୋଇ ପଡୁଛୁ। ଦିନ ସାରା ଗଛମୂଳେ ପରିବାର ସହ ରହୁଛୁ। ଦୁଇ ଦିନ ହେବ କାମକୁ ଯାଉଛି। ଦିନକୁ ୧୦୦ରୁ ୨୦୦ ଟଙ୍କା ରୋଜଗାର ହେଉଛି। ଏଥିରେ ପରିବାର ଦୁଃଖକଷ୍ଟେ ଚଳି ଯାଉଛି। ଯେତେ ଦିନ ପର୍ଯ୍ୟନ୍ତ ଘର ଭଡା ଆଡଭାନ୍ସ ପାଇଁ ହାତରେ ୨/୩ହଜାର ଟଙ୍କା ନ ହୋଇଛି। ଗଛ ମୂଳେ ଏମିତି ରହିଥିବି। ଯଦି ପ୍ରଶାସନ ଆର୍ଥିକ ସହାୟତା କରନ୍ତେ ପିଲାଛୁଆଙ୍କୁ ଧରି କେଉଁଠି ଟିକେ ମୁଣ୍ଡ ଗେଞ୍ଜି ପାରନ୍ତୁ ବୋଲି କହିଛନ୍ତି ଦିନ ମଜୁରିଆ ସଞ୍ଜୟ ସାହୁ। ସୁନ୍ଦରଗଡ ଜିଲ୍ଲା ସବ୍ଡେଗାର ଏକ ଉପାନ୍ତ ଗାଁର ଦିନ ମଜୁରିଆ ସଞ୍ଜୟ ପରିବାର ସହ ରହନ୍ତି। ଗତ ପ୍ରାୟ ୧୫ ବର୍ଷ ତଳେ କାମ କରିବାକୁ ପତ୍ନୀ ଶାନ୍ତିକୁ ଧରି ଚାଲି ଆସିଥିଲେ ରାଉରକେଲା ସହରକୁ।
ବିଭିନ୍ନ ବସ୍ତିରେ ମାସିକ ୭୦୦ରୁ ୧୦୦୦ ଟଙ୍କା ଝୁମ୍ପୁଡି ଘର ଭଡା ନେଇ ରହୁଥିଲେ। ଝଅଣ ବୋଝେଇ ଟ୍ରକରେ ଶ୍ରମିକ ଭାବେ କାମ କରୁଥିଲେ। ମାସକୁ ୬ରୁ ୭ ହଜାର ଟଙ୍କା ରୋଜଗାର କରୁଥିଲେ। ଗତ ବର୍ଷ ତଳେ ପାନପୋଷ ବାଙ୍ଗଲାଟୋଲାରୁ ରୁପୁଟୋଲା ବସ୍ତିରେ ଯାଇ ରହୁଥିଲେ। ସେଠାରେ ତାଙ୍କର ଝିଅ ଜନ୍ମ ହୋଇଥିଲା। ପରିବାର ବେଶ୍ ହସ୍ ଖୁସିରେ ଚାଲିଥିଲା। ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଲୁଥିବାବେଳେ ଚଟାଣରେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ଡାହାଣ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା।
ପତ୍ନୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରିଥିଲେ। କେହି ନଥିବାରୁ କୁନି ଝିଅକୁ ଧରି ହସ୍ପିଟାଲରେ ପ୍ରାୟ ୧୭ ଦିନ ରହିଥିଲେ। ଯାହା କିଛି ଟଙ୍କା ସାଇତି କରି ରଖିଥିଲେ ସେତକ ଔଷଧ କିଣାରେ ସରି ଯାଇଥିଲା। ମେଡିକାଲ ଡିସ୍ଚାର୍ଜ ହେବା ପର ଦିନ ସରକାର କରୋନା ପାଇଁ ଲକ୍ଡାଉନ୍ ଘୋଷଣା କରିଥିଲେ। ଭାବିଥିଲେ ପତ୍ନୀ ଝିଅକୁ ଭଡା ଘରେ ଛାଡି କାମ କରିବାକୁ ଯାଇ କିଛି ରୋଜଗାର କରିବେ। କିନ୍ତୁ କରୋନା କଟକଣା ଦାଉ ସାଜିଥିଲା। ତଥାପି ମନରେ ଧମ୍ଭ ଧରି ଭଡା ଘରେ କିଛି ଦିନ ରହିବେ ବୋଲି ହସ୍ପିଟାଲରୁ ବାହାରିଥିଲେ। ଭଡା ଘରେ ପହଞ୍ଚିବା ବେଳକୁ ମାଲିକ ଜିନିଷ ପତ୍ର ବାହାରି ଅନ୍ୟ ଜଣକୁ ଭଡା ଦେଇ ସାରିଥିଲେ। ଏଭଳି କଠିନ ସମୟରେ କୁଆଡେ ଯିବୁ। ମାସେ ଦୁଇ ମାସ ପାଇଁ ରହିବାକୁ ଦିଅନ୍ତୁ। ଲକ୍ଡାଉନ୍ ଖୋଲିଗଲେ ବକେୟା ଘରେ ଭଡା ଶୁଝିଦେବି କହି କାକୁତି ମିନତି ହୋଇଥିଲେ। ମାନବିକତା ଭୁଲି ଯାଇଥିବା ଘର ମାଲିକ କିଛି ଶୁଣି ନଥିଲେ। ଗଣ୍ଠଲି ନେଇ ଏଠାରେ ଯାଅ ବୋଲି କହି ତଡି ଦେଇଥିଲେ।