ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସହର ସୁନାମ୍ବ ରଥଦାଣ୍ଡ ସାହିରେ ୨୦୧୧ ମସିହା ଜାନୁଆରି ୨୫ ତାରିଖରେ ଏସ.ବବିତା ଆଚାରୀ ନାମକ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଆଜି ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆସିକା ଏଡିଜେ ପ୍ରବୀର କୁମାର ଚୌଧୁରୀ ୨୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଦୋଷୀ ରାଜୀବ ଗୌଡ଼କୁ ଆଜୀବନ ଜେଲ୍ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ୪ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ସେହିପରି ଅନ୍ୟତମ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ପାଣିଗ୍ରାହୀକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
୨୦୧୧ ମସିହା ଜାନୁଆରି ୨୫ ତାରିଖରେ ପ୍ରଭାକର ଆଚାରୀଙ୍କ ପତ୍ନୀ ବବିତା ଘରେ ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ପଶି କଟୁରିରେ ତାଙ୍କ ଗଳାକୁ କାଟି ଦେବା ସହ ପେଟରେ ଭୁସି ଦେଇଥିଲେ। ତକିଆରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ସ୍ବାମୀ ପ୍ରଭାକରଙ୍କ ଏତଲା କ୍ରମେ ଆସିକା ଥାନାରେ କେସ୍ ନମ୍ବର ୧୯/୧୧ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ସେତେବେଳେ ଆସିକାରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ପାଲଟିଥିଲା।
ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନାଧିକାରୀ ଦିଲ୍ଲୀପ କୁମାର ତ୍ରିପାଠୀ ଦୁଇଜଣ ଅଭିଯୁକ୍ତ ରାଜୀବ ଓ ଆଦିତ୍ୟକୁ ଗିରଫ କରିଥିଲେ। ଆସିକା ଏଡିଜେ କୋର୍ଟରେ ୧୨ ବର୍ଷ ଧରି ଏହି ମାମଲାର ବିଚାରଣା ଚାଲିଥିଲା। ଆଜି ବିଚାରପତି ଚୂଡ଼ାନ୍ତ ରାୟ ଶୁଣାଇ ରାଜୀବକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇବା ସହ ଆଦିତ୍ୟକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଏପିସି ସୁଧାଂଶ କୁମାର ପଣ୍ଡା ଓ ଜି.ସୂର୍ଯ୍ୟପ୍ରକାଶ ରାଓ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରିଥିଲେ। ତେବେ ଜଜମେଣ୍ଟ୍ କପି ମିଳିବା ପରେ ନିର୍ଦ୍ଦୋଷରେ ମୁକୁଳିଥିବା ଆଦିତ୍ୟ ବିରୋଧରେ ଉଚ୍ଚନ୍ୟାଳୟରେ ଅପିଲ୍ କରିବାକୁ ଗଞ୍ଜାମ ଏସ୍.ପି.ଙ୍କୁ ସୁପାରିସ କରାଯିବ ବୋଲି ଶ୍ରୀ ରାଓ କହିଛନ୍ତି।