ରାୟଗଡ଼ା: ୮୦ରୁ ଉର୍ଦ୍ଧ୍ବ ଲୋକ ସଂଘବଦ୍ଧ ଆକ୍ରମଣ କଲେ। ଜିଆରଏସ୍, ଜିପିଇଓ ବୁଝାଶୁଝା ସତ୍ତ୍ବେ କେହି ଶୁଣିଲେନି। ନିର୍ଧୁମ ମାଡ଼ ମାରିବା ପରେ ନିଜ ପଞ୍ଚାୟତରେ ବୁଲାବୁଲି କଲେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଲୋଡ଼ି ଶେଷଖାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି ରାୟଗଡ଼ା ବ୍ଲକ୍ କଂଗ୍ରେସ ସଭାପତି ଗାଡିଗା ବାଚେଲି। କିଛି ଅଘଟଣ ଘଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପୁଲିସ୍, ପ୍ରଶାସନ ଦାୟୀ ରହିବେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ବ୍ଲକ୍ ସଭାପତି ଶ୍ରୀ ବାଚେଲିଙ୍କ ଏତଲାକୁ ଭିତ୍ତି କରି ଶେଷଖାଲ ଥାନା ପୁଲିସ୍ ମାମଲା ରୁଜୁ କରିଛି। ଆକ୍ରମଣକାରୀ ଜାତିଆଣ ଆକ୍ଷେପ କରିଥିବାରୁ ପୁଲିସ୍ ଜାତିଆଣ ମାମଲା ସହ ଏକାଧିକ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଥିବାରୁ ତଦନ୍ତ ଆରମ୍ଭ କରିଛି। ଗତ ୧୯ ତାରିଖରେ ମୀରାବାଲି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ଚାଲିଥିବା ବେଳେ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ବାଚେଲି ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ମଧ୍ୟାହଣ୍ ୨ଟାରେ ହଠାତ୍ ଦୁର୍ବୃତ୍ତମାନେ ପହଞ୍ଚି ବାଚେଲିଙ୍କୁ ଆକ୍ରମଣ କରିଥିଲେ।
ଜୀବନ ବଞ୍ଚାଇବା ପାଇଁ ବାଚେଲି ବହୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ରାୟଗଡ଼ା ବ୍ଲକର ଡାଙ୍ଗଲୋଡ଼ି ଗ୍ରାମରେ ଜିଓ କମ୍ପାନିର ମୋବାଇଲ୍ ଟାୱାର୍ ଉଦଘାଟନ ହୋଇଥିଲା। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ଟାୱାରକୁ ଉଦଘାଟନ କରିଥିଲେ। କିନ୍ତୁ କିଛି ସମୟ ପରେ କୌଣସି ଦୁର୍ବୃତ୍ତ ଉଦଘାଟନୀ ଫଳକକୁ ଭାଙ୍ଗି ଦେଇଥିଲେ।
ଯାହାକୁ ନେଇ ବିଜେଡ଼ି କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ ମୀରାବାଲିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଉଦଘାଟନ କରିଥିବା ମୋବାଇଲ୍ ଟାୱାର ଫଳକକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଫଳକ ଭଙ୍ଗା ପରେ ହିଁ ବ୍ଲକ୍ କଂଗ୍ରେସ ସଭାପତି ବାଚେଲିଙ୍କୁ ଆକ୍ରୋଶମୂଳକ ଭାବେ ଆକ୍ରମଣ ହୋଇଥିଲା। ଫଳରେ ବିଜେଡ଼ି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳ ପଦାକୁ ଆସିଛି। ବାଚେଲିଙ୍କ ଏତଲା ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମୀରାବାଲିରେ ପହଞ୍ଚି ବାଚେଲିଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହିତ ମାମଲା ସଂପର୍କରେ ଶେଷଖାଲ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଂସଦ ଶ୍ରୀ ଉଲାକା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/f984236e-74e6-4f75-a254-cc7e8d603493.jpg)