ହତ୍ୟା ଅପରାଧୀକୁ ଆଜୀବନ ଜେଲ ଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

ଭଦ୍ରକ: ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଣତି ସାହା ଏକ ହତ୍ୟାମାମଲାର ବିଚାର କରି ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ବନ୍ଧସାହି ଗ୍ରାମର ଶରତ ମଳିକ (୫୩ )କୁ ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ ଭୋଗିବାକୁ ଆଦେଶରେ ଦର୍ଶାଇଛନ୍ତି।

ବିବରଣୀ ଅନୁଯାୟୀ ପୁର୍ବ ଶତୃତାକୁ କେନ୍ଦ୍ର କରି ସୃଷ୍ଟିଧର ମଳିକ ଓ ଶରତ ମଳିକ ପରିବାର ସହ ମତାନ୍ତର ହୋଇ ଆସୁଥିଲା। ବର୍ଷ ୨୦୧୬ ଜାନୁଆରି ୫ରେ ସୃଷ୍ଠିଧର ଧୁଷୁରୀ ବଜାରରୁ ମାଛ ନେଇ ଘରକୁ ଫେରୁଥିବା ବେଳେ ଶରତ ଓ ତାର ପତ୍ନୀ ଦୁତି ଓ ପୁଅ ବାପିନା ସୃଷ୍ଟିଧର ମଲିକକୁ ବାଉଁଶ ଠେଙ୍ଗାରେ ମରାଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସେ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ। ପରେ ଚିକିତ୍ସାଧିନ ଅବସ୍ଥାରେ ଶରତଙ୍କ ଘଟଣାର ୪ ଦିନ ପରେ ଅର୍ଥାତ ୯ ତାରିଖରେ ମୃତ୍ୟୁ ହୋଇଥିଲା। ଏହି ମାମଲାଟି ଧୁଷୁରୀ ଥାନା କେଶ ନଂ ୪/୧୬ ଦଫା ୩୦୨,୧୦୯,୩୪ରେ ଏକ ମାମଲା ହୋଇ ଶରତ ଗିରଫ ହୋଇ ସେହି ଦିନଠାରୁ ବିଚାରାଧିନ ବନ୍ଦୀ ଭାବେ ଜେଲରେ ଅଟକ ଅଛି। କୋର୍ଟ ଦୁତି ଓ ବାପିନାକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ ଶରତକୁ ଆଜୀବନ ଦଣ୍ଡ ଦେଇଛନ୍ତି।

ସମ୍ବନ୍ଧିତ ଖବର