ଖୋର୍ଦ୍ଧା: ରାଜ୍ୟର ପ୍ରାକୃତିକ ବିପଯ୍ୟୟ ବିଶେଷତଃ ବାତ୍ୟ ଓ ବନ୍ୟା ପ୍ରବଣ ଓ କ୍ଷୟକ୍ଷତି ତାଲିକାରେ ଖୋର୍ଦ୍ଧା ଜିଲ୍ଲା ୫ମ ସ୍ଥାନରେ ରହିଥିବା ବେଳେ ବଜ୍ରପାତ ଏକ ନିରବ ବିପର୍ଯ୍ୟୟ ଭାବେ ପ୍ରତିବର୍ଷ ଏକାଧିକ ଲୋକଙ୍କ ଜୀବନ ନେଉଛି। ଜିଲ୍ଲାରେ ୨୦୧୫- ୧୬ରୁ ୨୦୨୧-୨୨ ମଧ୍ୟରେ ସାପ କାମୁଡ଼ାରେ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି। ନଦୀ, ପୋଖରୀ ଆଦି ଜଳାଶୟରେ ଡୁବି ୧୯୯ଜଣଙ୍କ ମୃତ୍ୟୁ, ଅଂଶୁଘାତରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଜ୍ରାଘାତରେ ୮୯ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସୂଚନାନୁସାରେ, ଜିଲ୍ଲାରେ ବଜ୍ରପାତରେ ଘଟିଥିବା ୮୯ଟି ମୃତ୍ୟୁ ମଧ୍ୟରୁ ୨୦୨୨ରେ ୫ ଜଣ, ୨୦୨୧ରେ ୬, ୨୦୨୦ରେ ୭, ୨୦୧୯ରେ ୧୦, ୨୦୧୮ରେ ୧୫, ୨୦୧୭ରେ ୧୬, ୨୦୧୬ରେ ୧୯, ୨୦୧୫ରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ରାଜ୍ୟରେ ୧୬୦୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସମୟ ମଧ୍ୟରେ ୭୧ଜଣଙ୍କ ମୃତ୍ୟୁ ଘଟିଛି, ଅର୍ଥାତ୍ ମୋଟ ପ୍ରାୟ ୫ ପ୍ରତିଶତ ମୃତ୍ୟୁ।
ଜିଲ୍ଲାରେ ମୋଟ ବଜ୍ରପାତ ଜନିତ ମୃତ୍ୟୁ ମଧ୍ୟରୁ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ- ବୋଲଗଡ଼ରେ ସର୍ବାଧିକ ମୃତ୍ୟୁ ଘଟିଛି। ଦେଶର କ୍ଲାଇମେଟ୍ ରିସାଇଲେଂଟ୍ ଅବଜରଭିଂ ସିଷ୍ଟମ୍ କାଉନ୍ସିଲ (ସିଆର୍ଓପିସି)ର ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ବଜ୍ରପାତରେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ପରେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି। ୨୦୨୧-୨୨ ଗୋଟିଏ ବର୍ଷରେ ୫ଲକ୍ଷ ୨୮ ହଜାର ୫୯୧ଟି ବଜ୍ରପାତ ହୋଇଥିବା ବେଳେ ୧୫୬ଜଣଙ୍କ ମୃତ୍ୟୁ ଘଟିଛି। ଆଗାମୀ ଦଶନ୍ଧୀ ମଧ୍ୟରେ ଏହା ୩୭ ପ୍ରତିଶତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବର୍ଦ୍ଧିତ ବଜ୍ରପାତର ଅନ୍ୟତମ ପ୍ରମୁଖ କାରଣ ମଧ୍ୟରୁ ଖନନ ଯୋଗୁଁ ପାହାଡ଼ର ଧ୍ୱଂସ, ତାଳ, ନଡ଼ିଆ ଆଦି ବଡ଼ ବୃକ୍ଷ ସଂଖ୍ୟାର ହ୍ରାସ ଆଦି ରହିଛି। ଏହି ଦୃଷ୍ଟିରେ ବିପର୍ଯ୍ୟୟ ପରିଚାଳନାରେ ବଜ୍ରପାତ ଭଳି ଏକ ନୀରବ ମୃତ୍ୟୁର ପରିଚାଳନା ପ୍ରତି ଦୃଷ୍ଟି ଦେବା ସହ ରାଜପଥ କଡ଼ ମୁଣ୍ଡିଆ ଖନନକୁ ନିଷେଧ କରିବା, ସରକାରୀ ସ୍ଥାନରେ ତାଳ ଆଦି ବଡ଼ ବୃକ୍ଷ ଲଗାଇବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।