ଚାଷ କାମରେ ବ୍ୟସ୍ତ ଥିଲେ ପରିବାର; ବଜ୍ରପାତ ନେଲା ଦମ୍ପତିଙ୍କ ଜୀବନ, ପୁଅ-ବୋହୂଙ୍କୁ ହସ୍‌ପିଟାଲରେ ଭର୍ତ୍ତି

ବିଷମକଟକ: ବିଲରେ ସପରିବାର ଚାଷ କାମରେ ବ୍ୟସ୍ତ ଥିବା ବେଳେ ବଜ୍ରପାତ ସହିତ ବର୍ଷା ହୋଇଛି । ଏଥିରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ-ବୋହୂ ଗୁରୁତର ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ କେରାଣ୍ଡିଗୁଡ଼ା ଗାଁରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଦୁଃଖଦ ଘଟଣା ଘଟିଛି । ମୃତକମାନେ ହେଲେ ବୁର୍ଶା ମିଣିକିଆ ଓ ରାମି ମିଣିଆକା । କାସ୍ତୁରା ମିଣିଆକା ଓ ମାଲା ମିଣିଆକାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ କାଳିପଙ୍ଗା ଗାଁର ବୁର୍ଶା ମିଣିଆକା, ତାଙ୍କର ସ୍ତ୍ରୀ ରାମି, ପୁଅ କାସ୍ତୁରା ଓ ବୋହୂ ମାଲା ଆଜି ଅପରାହ୍ନରେ ନିଜ ଜମିରେ ପୋଡୁଚାଷ କରୁଥିଲେ । ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଫଳରେ ୪ ଜଣ ଗୁରୁତର ହୋଇଥିଲେ । ଗାଁ ଲୋକଙ୍କର ସହାୟତାରେ ୪ ଜଣଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହସ୍‌ପିଟାଲରେ ଡାକ୍ତର ବୁର୍ଶା ଓ ରାମିଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ପୁଅ-ବୋହୂଙ୍କୁ ଅଧିକ ଚିିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର