ମଧ୍ୟାହ୍ଣ ଭୋଜନ ପରେ ହାତ ଧୋଇବାକୁ ଯାଇଥିଲେ, ବଜ୍ରପାତରେ ଦିନ ମଜୁରିଆଙ୍କ ମୃତ୍ୟୁ

ବୈପାରିଗୁଡ଼ା: ମଧ୍ୟାହ୍‌ଣ ଭୋଜନ ପରେ ହାତ ଧୋଇବାକୁ ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ବଜ୍ରପାତରେ ଅକାଳ ବିୟୋଗ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଘୁମର ପାକନାଗୁଡା ଗ୍ରାମରେ ଆଜି ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକ ହେଲେ ଜଣେ ଦିନ ମଜୁରିଆ ଦାମୋଦର ନାୟକ(୨୮)।

ସୂଚନା ଅନୁସାରେ ଆଜି ସକାଳୁ ଝିପିଝିପି ବର୍ଷା ହେତୁ ଦାମୋଦର କାମକୁ ନଯାଇ ଘରେ ରହିଯାଇଥିଲେ। ତେବେ କିଛି ସମୟ ପାଇଁ ସେ ଶୋଇଯାଇଥିଲେ। ତାଙ୍କର ସ୍ତ୍ରୀ ରାଧିକା ନାୟକ ରୋଷେଇ ସରିବା ପରେ, ଅପରାହ୍ନ ତିନିଟା ସମୟରେ ଖାଇବା ପାଇଁ ଉଠେଇଥିଲେ। ସେ ସ୍ତ୍ରୀଙ୍କ ସହିତ ମଧ୍ୟାହ୍‌ଣ ଭୋଜନ କରି ସାରିବା ପରେ ବାହାରକୁ ହାତ ଧୋଇବା ପାଇଁ ଯାଇଥିଲେ। କିନ୍ତୁ ଭାଗ୍ୟର ଖେଳ ବିଚିତ୍ର। ଏହି ସମୟରେ ବଜ୍ରପାତ ହେବାରୁ ଦାମୋଦର ଘର ଭିତରକୁ ଛିଟିକି ପଡ଼ିବା ସହ ଚେତା ହରାଇଥିଲା।

ତେବେ ରାଧିକା ନିଜ ସ୍ୱାମୀର ଏହି ଅବସ୍ଥା ଦେଖି ବିକଳରେ ସାହିବାସୀଙ୍କୁ ଡାକିଥିଲେ। ସାହି ଲୋକେ ଗୋଟିଏ ଅଟୋରେ ଦାମୋଦରକୁ ତୁରନ୍ତ ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ଦାମୋଦରଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ।

ଦାମୋଦରଙ୍କ ପାଞ୍ଚ ବର୍ଷର ପୁଅଟିଏ ରହିଥିବା ବେଳେ ସ୍ତ୍ରୀ ରାଧିକା ଏବେ ଆଠ ମାସର ଗର୍ଭବତୀ। ଦାମୋଦର ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ଅକାଳ ବିୟୋଗରେ ପରିବାର ଲୋକଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର