ବ୍ରହ୍ମପୁର: ବର୍ଷାଦିନ ଆସିଲେ ପାଣି ଜମି ନାନା ସମସ୍ୟା ଦେଖା ଦେଇଥାଏ। ବର୍ଷାଦିନରେ ବଜ୍ରାଘାତ ସହିତ ବିଭିନ୍ନ ପ୍ରକାର ସରୀସୃପ କାମୁଡ଼ିବା ଭୟ ମଧ୍ୟ ରହିଥାଏ। ଏବେ କିଛିଦିନ ହେଲା ସାରା ଓଡ଼ିଶାରେ ସାପକାମୁଡ଼ା ଘଟଣା ଅଧିକ ନଜରକୁ ଆସୁଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିଗତ ବର୍ଷ ମାନଙ୍କରେ ସାପକାମୁଡ଼ା ଓ ବ୍ରଜାଘାତରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୩ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବଜ୍ରାଘାତ ଓ ସାପକାମୁଡ଼ାରେ ୨୬୭ ଜଣଙ୍କ ଜୀବନ ଯାଇଥିବା ରେକର୍ଡ଼ କହୁଛି। ସାପକାମୁଡ଼ାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରି ଆସୁଛନ୍ତି। ସେହିପରି ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି। ତଥାପି ବିଭିନ୍ନ କାରଣ ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟୁଛି। ଏଣୁ ସାପ କାମୁଡ଼ିବା କ୍ଷଣି ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉମାଶଙ୍କର ମିଶ୍ର ପରାମର୍ଶ ଦେଇଛନ୍ତି। ଜିଲ୍ଲାର ପ୍ରତ୍ୟେକ ଡାକ୍ତରଖାନାରେ ଆଣ୍ଟି ସ୍ନେକ୍ ଭେନମ୍ ଉପଲବ୍ଧ ରହିଥିବା ସେ କହିଛନ୍ତି।
ଡାକ୍ତରଖାନାରେ ଆଣ୍ଟିଭେନମ୍ ମହଜୁଦ ସତ୍ତ୍ବେ ଝଡ଼ାଫୁଙ୍କାରେ ବିଶ୍ବାସ
ତୁରନ୍ତ ମେଡିକାଲ ନେଲେ ମୃତ୍ୟୁହାର କମିବ
ରୋଗୀସେବା ପାଇଁ ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନା ଉପରେ ଦକ୍ଷିଣ ଓଡ଼ିଶାବାସୀ ନିର୍ଭର କରନ୍ତି। ଏଠାକୁ ବିଭିନ୍ନ ପ୍ରକାର ରୋଗୀ ଆସିଥାନ୍ତି। ଠିକ୍ ସେହିପରି ସାପକାମୁଡ଼ାରେ ଗୁରୁତର ହୋଇ ବର୍ଷକୁ ପ୍ରାୟ ୩ଶହରୁ ସାଢ଼େ ୩ଶହ ରୋଗୀ ବିଭିନ୍ନ ସ୍ଥାନରୁ ରେଫର୍ ହୋଇ ଆସିଥାନ୍ତି। ଠିକ୍ ସମୟରେ ଡାକ୍ତରଖାନା ପହଞ୍ଚୁଥିବା ରୋଗୀଙ୍କ ଜୀବନ ବଞ୍ଚି ଯାଉଥିବା ବେଳେ ବିଳମ୍ବରେ ଆସୁଥିବା ରୋଗୀ ମୃତ୍ୟୁବରଣ କରିଥାନ୍ତି। ଗତ ୩ବର୍ଷ ମଧ୍ୟରେ ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାରେ ସାପକାମୁଡ଼ାରେ ୨୦୫ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଗତ ୩ବର୍ଷ ମଧ୍ୟରେ ୨୦୨୦, ୨୦୨୧ ଓ ୨୦୨୨ରେ ଯଥାକ୍ରମେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୨୨, ୩୮ ଓ ୪୯ ଏଭଳି ମୋଟ ୧୦୯ଜଣଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୨୦୨୦, ୨୦୨୧ ଓ ୨୦୨୨ରେ ଯଥାକ୍ରମେ ୩୪, ୨୬ ଓ ୩୬ ଏଭଳି ମୋଟ ୯୬ଜଣଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ଏହି ପରିସଂଖ୍ୟାନ ଉପରେ ନଜର ପକାଇଲେ ପ୍ରତିବର୍ଷ ସାପକାମୁଡ଼ାରେ ମୃତକଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି। ଏହାର ବିଭିନ୍ନ କାରଣ ରହିଥିବା ଡାକ୍ତରମାନେ କହିଛନ୍ତି। ସାପକାମୁଡ଼ାରେ ଗୁରୁତର ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଇଲାକାର ଲୋକେ ଗୁରୁତରଙ୍କୁ ଡାକ୍ତରଖାନା ନନେଇ ପ୍ରଥମେ ଝଡ଼ାଫୁଙ୍କା ସହିତ ଜଡ଼ିବୁଟି ଚିକିତ୍ସା ଉପରେ ବିଶ୍ବାସ କରିଥାନ୍ତି। ଅବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ ଡାକ୍ତରଖାନାକୁ ନେଇଥାନ୍ତି। ଏଣୁ ସେଭଳି ଗୁରୁତରଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବିଶେଷ କରି ବର୍ଷା ଦିନ ଜୁଲାଇ ଓ ଅଗଷ୍ଟ ମାସରେ ସାପକାମୁଡ଼ା ମାମଲା ଅଧିକ ଆସିଥାଏ। ଏଣୁ ପ୍ରତିବର୍ଷ ବର୍ଷା ପୂର୍ବରୁ ଡାକ୍ତରଖାନାରେ ଆବଶ୍ୟକ ପରିମାଣ ଇଂଜେକ୍ସନ୍ ମହଜୁଦ ରଖାଯାଇଥାଏ। ସାପର ବିଷ କାଟିବା ପାଇଁ ଇଂଜେକ୍ସନ୍ ଦିଆଯାଇଥାଏ। ସାପ ବିଷର ପ୍ରଭାବକୁ ଦେଖି ଇଂଜେକ୍ସନ୍ ଦିଆଯାଏ। ବିଷାକ୍ତ ସାପ କାମୁଡ଼ିଲେ ତୁରନ୍ତ ଚିକିତ୍ସା କରାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake-bite.jpg)