ଅଟୋରେ ଚାଲାଣ ହେଉଥିଲା ଦେଶୀ ମଦ, ୫୧୦ ଲିଟର ଦେଶୀ ଜବତ

ରାଉରକେଲା: ରାଉରକେଲା ଉପକଣ୍ଠ କୁଆରମୁଣ୍ଡା, ନୂଆଗାଁ, ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଅଞ୍ଚଳରୁ ଇସ୍ପାତ ସହରକୁ ଦେଶୀ ମଦ ଚୋରାଚାଲାଣ କମିବାର ନାଁ ନେଉନି। ବିଶେଷକରି କୁଆରମୁଣ୍ଡା, ବୀରମିତ୍ରପୁର ଅଞ୍ଚଳରୁ ଚାଲାଣ ଢ଼େର୍‌ ଅଧିକ। ନିୟମିତଭାବେ କାର୍‌, ଅଟୋ, ବାଇକ୍‌ରେ ସହର ଭିତରକୁ ମଦ ଚୋରାଚାଲାଣ ହୋଇଛି। ଏମିତିକି ବିଭିନ୍ନ ସମୟରେ ସ୍ଥାନୀୟ ମଦ ବେପାରୀ ମଦ ତିଆରି ହେଉଥିବା ସ୍ଥାନରୁ ମଦ କିଣି ରାଉରକେଲାକୁ ଆଣୁଛନ୍ତି। ସମାନ ଢ଼ଙ୍ଗରେ ଆଜି ଅଟୋରେ ମଦ ନେଇ ଆସୁଥିବାବେଳେ ଅବକାରୀ ପୁଲିସ ହାତରେ ୩ ଜଣଅଭିଯୁକ୍ତ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଝୀରପାଣିର ଗିରିଧାରୀ ନାଗ, ଦାମ ଗୋପ ଓ ସମଶେର୍‌ ଆଲମ୍‌।

ସେମାନଙ୍କଠାରୁ ୫୧୦ ଲିଟର ଦେଶୀ ମଦ ଓ ଚୋରାଚାଲାଣରେ ବ୍ୟବହୃତ ଅଟୋ (ଓଡି-୧୪-ଏନ-୫୬୦୨) ଜବତ ହୋଇଛି। ଅଭିଯୁକ୍ତମାନେ ରୀତିମତଭାବେ କାରିଛାପଲ, କେମାଙ୍ଗ ଆଦି ଅଞ୍ଚଳରୁ ଦେଶୀ ମଦ ଆଣି ସହରରେ ବିକ୍ରି କରିଥାନ୍ତି। ଏନେଇ ଅବକାରୀ ବିଭାଗ ଗୁପ୍ତ ସୂଚନା ପାଇଁ ସମସ୍ତଙ୍କୁ ଗିରଫ କରିବାକୁ ଜାଲ ବିଛାଇଥିଲା।

ଆଜି ପୂର୍ବାହ୍ନରେ ଏମାନେ ମଦ ଆଣୁଥିବାବେଳେ ବାଟରେ ସମସ୍ତଙ୍କୁ କାବୁ କରିନେଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ଏଥିରେ ଏଏସ୍‌ଆଇ ସୁନୀତା କେର୍କେଟାଙ୍କ ସମେତ ଅନ୍ୟ କର୍ମଚାରୀ ସପନ ସାହୁ, ସୂର୍ଯ୍ୟକାନ୍ତ ସ୍ବାଇଁ, ପ୍ରଦୀପ ଲୁଗୁନ, ନବୀନ ଭୂୟାଁ, ରେଣୁ କିରୋ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର