ଚିକେନ କାଉଣ୍ଟରରୁ ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ଧଉଳି: ଚିକେନ କାଉଣ୍ଟରରେ ମିଳୁଥିଲା ମଦ | ମଙ୍ଗଳବାର ଦିନ କଟକ ଅବକାରୀ ବିଭାଗର ଫ୍ଲାଇଁସ୍କ୍ବାର୍ଡ଼ ଚୋରାମଦ ବିକ୍ରି ମାମଲାରେ ଜଣେ ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମଦ ବ୍ୟବସାୟୀ ଜଣକ ହେଲେ ଉତ୍ତରା ଫାଣ୍ଡି ଅଧୀନ ମାଟିଆପଡ଼ା ଗ୍ରାମର ରବିନ୍ଦ୍ର ମଲ୍ଲିକ (୨୬) । ତେବେ ରବିନ୍ଦ୍ରର ଜାମିନ ନାମଂଜୁର ହେବାରୁ ନିମାପଡ଼ା ଉପକାରାଗାରକୁ ପଠାଇଦିଆଯାଇଥିବା ଜଣାପଡିଛି । ଏଥିସହିତ ରବିନ୍ଦ୍ର ନିକଟରୁ ସ୍କ୍ବାର୍ଡ଼ ବିପୁଳ ପରିମାଣର ବିଦେଶୀ ଓ ଦେଶୀମଦ ଜବତ କରିଛି । ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣେ ଅବକାରୀ ବିଭାଗ ଅଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ ଉତ୍ତରା ଫାଣ୍ଡି ଅଧିନ ଗୁଡ଼ିଆପୋଖରୀ ଛକରେ ରବିନ୍ଦ୍ରର ଏକ ଚିକେନ କାଉଣ୍ଟର ରହିଛି । ଚିକେନ କାଉଣ୍ଟର ଆଳରେ ରବିନ୍ଦ୍ର ଦୀର୍ଘ ବର୍ଷ ଧରି ଚୋରାମଦ କାରବାର ଚଳାଇ ଆସିଥିବା ନେଇ ଅବକାରୀ ବିଭାଗ କଟକ ଫ୍ଲାଇଂସ୍କ୍ବାର୍ଡ଼ ନିକଟରେ ଅଭିଯୋଗ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଉମାକାନ୍ତ ସ୍ବାଇଁ , ସରୋଜ ପରିଡ଼ା ,ଏଏସ ଆଇ ମନିଷା ଭୋଳ, ସଚିନ ବେହେରା ପ୍ରମୁଖ ସେଠାରେ ଅତର୍କିତ ଚଢ଼ଉ କରିଥିଲେ ।

ଚଢ଼ଉ ବେଳେ ଚିକେନ କାଉଣ୍ଟରରୁ ବିଭିନ୍ନ ବ୍ରାଣ୍ଡର ୧୭ ପେଟି ବିଦେଶୀ ମଦ (୧୬୫ ଲିଟର ) ୫ ପେଟି ଆସ୍କା-୪୦ ଦେଶୀମଦ (୨୫ ଲିଟର ) ଜବତ କରାଯାଇଥିଲା । ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଇଛି । ପିପିଲି ଉପ ନିର୍ବାଚନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ରବିନ୍ଦ୍ର ଏତେ ପରିମାଣର ମଦ ମହଜୁଦ ରଖିଥିବା କଥା କହିଥିବା ତଦନ୍ତକାରୀ ଅଧିକାରୀ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର