ଚୋରା ମଦ ମାଫିଆଙ୍କ ନୂଆ କୌଶଳ, ମଂଚାରେ ରହୁଛି ବ୍ୟାରେଲ୍‌ ବ୍ୟାରେଲ‌ ଦେଶୀ ମଦ

ଅବକାରୀ ବାବୁ ୧୮ କିଲୋମିଟର ଚାଲିଲେ, ୨୫ ଫୁଟ ଗଛ ଚଢ଼ିଲେ

କଟକ: ମଦ ଜବତ କରିବେ ବୋଲି ୨୫ ଫୁଟ ଉଚ୍ଚ ଗଛ ଚଢିଲେ ଆଉ ୧୮ କିଲୋମିଟର ଜଙ୍ଗଲ ଭିତରେ ଚାଲିଲେ। ‌ମଦମାଫିଆଙ୍କ ନୂଆ କୌଶଳ ଯୋଗୁଁ ଏବେ ଏଭଳି ନାକେଦମ୍‌ ହେଉଛନ୍ତି ଅବକାରୀବାବୁ। ବନ୍ୟଜନ୍ତୁଙ୍କ କବଳରୁ ଫସଲ ନଷ୍ଟ ପାଇଁ ତିଆରି ‌ହୋଇଥିବା ମଂଚା ଏବେ ମଦ ମାଫିଆଙ୍କ ନୂଆ ଠିକଣା ପାଲଟିଛି। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ‌ରେଞ୍ଜ ଡାଳୁଆ ରିଜର୍ଭ ଫରେଷ୍ଟର ମଗଧାପଡିଆ ଜଙ୍ଗଲରେ ଚଢଉ ପାଇଁ ଯାଇଥିବା ବେଳେ ଅବକାରୀବାବୁ ତିନୋଟି ମଂଚା ଉପରୁ ବିପୁଳ ପରିମାଣର ମଦ ଜବତ କରିଛନ୍ତି। ସୂଚନା ଅନୁସାରେ, ଆଠଗଡ଼, ବାଙ୍କୀ, ନରସିଂହପୁର, ବଡମ୍ବା ଜଙ୍ଗଲରେ ଖୋଲାଯାଇଛି ଦେଶୀ ମଦ ଫ୍ୟାକ୍ଟ୍ରି। ଅବାଧରେ ଜଙ୍ଗଲରେ ପ୍ରସ୍ତୁତ ହେଉଛି ମଦ। ଯେତେ ଜବତ୍‌ ଓ ନଷ୍ଟ କଲେ ବି ମଦ କାରବାର ବନ୍ଦ ହେଉନି, କି ଅପରାଧୀ ବି ଧରା ପଡୁନାହାନ୍ତି। ଅବକାରୀ ବିଭାଗ ଚଢଉ ପାଇଁ ଯିବା ପୂର୍ବରୁ ସେମାନଙ୍କ ପାଖରେ ପହଂଚି ଯାଉଛି ଖବର। ଏପରିକି ଜଙ୍ଗଲ ଭିତରେ ଅବାଧରେ ଏହି ମଦ ପ୍ରସ୍ତୁତି ଚାଲିଥିବା ବେଳେ ୬ମାସ ହେଲା ବନକର୍ମଚାରୀଙ୍କୁ ମଦମାଫିଆଙ୍କ ଧମକ ପରେ ସେମାନେ ବି ଆଉ ଅବକାରୀ ବିଭାଗ ସହି ଯୁଗ୍ମ ଚଢଉରେ ଯାଉନାହାନ୍ତି। ଏପଟେ ଗାଁ ଦେଇ ଗାଡି ଗଲାବେଳକୁ ଆଗତୁରା ଖବର ପାଇ ଫେରାର ହେଉଛନ୍ତି ମାଫିଆ। ହେଲେ ମାଟି ତଳେ ଯେଉଁ ବ୍ୟାରେଲ୍‌ ବ୍ୟାରେଲ୍‌ ମଦ ସବୁ ପ୍ରସ୍ତୁତ କରି ଚୋରା ଚା‌ଲାଣ ପାଇଁ ରଖୁଛନ୍ତି ତା ସବୁ ସୁରକ୍ଷିତ ନୁହେଁ। କାରଣ ମାଟି ତଳେ ଖାତ ‌ଖୋଳି ମଦ ରଖିବା ସଂପର୍କରେ ଜଣାପଡିବା ପରେ ଅବକାରୀ ବିଭାଗ ତାକୁ ଖୋ‌ଳି ବାହାର କରିବା ସହ ନଷ୍ଟ କରୁଥିଲା।

ଏପରିକି ଜଙ୍ଗଲରେ ଥିବା ବିଭିନ୍ନ ପ୍ରାକୃତିକ ନାଳର ପାଣି ମଧ୍ୟ ଏହି ମଦ ପ୍ରସ୍ତୁତ ସମୟରେ ବିଷାକ୍ତ ହେବାରେ ଲାଗିଛି, ଯାହାକି ବିପଦ ସାଜିଲାଣି। ଅନ୍ୟପଟେ ଜଙ୍ଗଲରେ ହାତୀପଲ ମଧ୍ୟ ବିଭିନ୍ନ ସମୟରେ ଚୋରା ମଦ ସବୁକୁ ନଷ୍ଟ କରୁଥିବାରୁ ମଂଚା ଉପର ଏବେ ମାଫିଆଙ୍କ ସୁରକ୍ଷିତ ସ୍ଥାନ ପାଲଟିଥିଲା। ଗତକାଲି ଅବକାରୀ ମୋବାଇଲ ସ୍କ୍ବାଡ, ସଦର ରେଞ୍ଜ ଓ ଆଠଗଡ଼ ଅବକାରୀବିଭାଗ ମିଳତ ଚଢଉ ସମୟରେ ୧୮ କିଲୋମିଟର ଜଙ୍ଗଲ ଚାଲିବା ସହ ୨୦ରୁ ୨୫ଫୁଟ ଉଚ୍ଚରେ ଥିବା ବଡ ଗଛରେ ତିଆରି ହୋଇଥିବା ମଂଚା ଉପରକୁ ଚଢି ସେଠାରୁ ବିପୁଳ ପରିମାଣର ମଦ ଜବତ୍‌ କରିଥିଲେ। ଜଙ୍ଗଲରେ ଚୋରା ମଦକୁ ସୁରକ୍ଷିତ ରଖିବା ପାଇଁ ଏଭଳି ନୂଆ ଉପାୟକୁ ନେଇ ଅବକାରୀ ବାବୁ ମାନେ ବି ତାଜୁବ୍‌ ‌ହୋଇ ପଡିଛନ୍ତି।

ସମ୍ବନ୍ଧିତ ଖବର