ନକଲି ଦେଶୀ ଓ ବିଦେଶୀ ମଦ ଜବତ: ୬ ଗିରଫ

ରାଉରକେଲା: ରାଜ୍ୟ ଏବଂ ରାଜ୍ୟ ବାହାରୁ ରାଉରକେଲାକୁ ଆସୁଛି ଶହ ଶହ ଲିଟର ନକଲି ବିଦେଶୀ ମଦ। ସ୍ଥାନୀୟ ଅଞ୍ଚଳରେ ମଦ ପ୍ରସ୍ତୁତି ହେଉଥିବା ସହ ଢ଼ାବା, ହୋଟେଲ ଓ ଦୋକାନରେ ବିକ୍ରି ହେଉଛି। ଅବକାରୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବାରମ୍ବାର ଚଢ଼ଉ ସତ୍ୱେ ନକଲି ବିଦେଶୀ ମଦ କାରବାର ସହରରେ ଥମିବାର ନା ନେଉନି। ଆଜି ସମ୍ବଲପୁର ଗୁଇନ୍ଦା ସଂସ୍ଥା ଓ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ କିଛି ଢ଼ାବା, ‌ହୋଟେଲ ଓ ତିଆରି ହେଉଥିବା ବସ୍ତିରେ ଚଢ଼ଉ କରାଯାଇଥିଲା। ଟିମ୍‌ ସହରରେ ଚାଲିଥିବା ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଚଢ଼ଉ କରିଥିଲେ। ଏଠାରୁ ୬୯ ନକଲି ଅପମିଶ୍ରିତ ବିଦେଶୀ ମଦ, ୧୫୦ ନକଲି ଠିପି, ୪୮୪ଟି ଲେବୁଲ, ୫୦୦ ମି.ଲି. କାରାମେଲ ଜବତ କରାଯାଇଛି।

ବନ୍ଧମୁଣ୍ଡାର ମାଷ୍ଟର ଢ଼ାବା ସମେତ ତିନିଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ମାଷ୍ଟର ଢ଼ାବାର କମଳକାନ୍ତ ପ୍ରସାଦ ସମେତ ବିଜୟ ପ୍ରସାଦ, ବୀରେନ୍ଦ୍ର ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମିତି ୭୦ ଲିଟରରୁ ଅଧିକ ମହୁଲି ମଦ ଜବତ କରାଯାଇଥିଲା। ଫର୍ଟିଲାଇଜର କାଟିନ୍‌ ଛକରୁ ଶେଖର ଚନ୍ଦ୍ର ବଙ୍କିରା, ଜଲଦା ’ଗ’ର ଗୁରୁବାରୀ ଲୋହାର, ମଲେନ୍‌ ଲୋହାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ସମ୍ବଲପୁର ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଶଶିକାନ୍ତ ଦତ୍ତ, ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ଏସ୍‌ଆଇ ଶ୍ରୀଧର ମହାନ୍ତି, ମାନସ ମୁଣ୍ଡା, ରମାକାନ୍ତ ଚାନ୍ଦ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର