ସ୍ବାଭିମାନ ଅଞ୍ଚଳରେ ମୁକ୍ତ ଆକାଶ ତଳେ ଚାଲିଛି ମଦ ହାଟ, ମିଳୁଛି ବିଭିନ୍ନ ପ୍ରକାର ଦେଶୀ ମଦ

ମାଲକାନଗିରି: ଆପଣ ଅନେକ ବିଳାଶପୂର୍ଣ୍ଣ ବାର ଦେଖିଥିବେ, କିନ୍ତୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଏଭଳି ଏକ ବାର ରହିଛି ଯାହାକି ମୁକ୍ତ ଆକାଶ ଗଛତଳେ ଚାଲେ। ଏହା ପ୍ରତ୍ୟେକ ଦିନ ନୁହେଁ, ବରଂ ସପ୍ତାହକୁ ଥରେ ୫ ରୁ ୬ ଘଣ୍ଟା ପାଇଁ ଖୋଲେ। ସପ୍ତାହକୁ ଥରେ ମାତ୍ର ବସେ ଏହି ମଦ ହାଟ। ଏଠି ବୋତଲ ବଦଳରେ ହାଣ୍ଡିରେ ବିକ୍ରି ହୁଏ ଭଳି କି ଭଳି ମଦ। ନା ଦେବାକୁ ପଡେ କୌଣସି ଟିକସ, ନା ନେବାକୁ ପଡେ କୌଣସି ଅନୁମତି। ଖୁଲମଖୁଲା ଏହି ମଦ ହାଟରେ ମଦ ପିଇ ମଜା ନିଅନ୍ତି ଆଦିବାସୀ। ଗଛ ତଳେ ଏ ହାଣ୍ଡି ଧରି ବସିଥିବା ମହିଳା ଓ ପୁରୁଷଙ୍କୁ ଦେଖିଲେ ଯିଏ କେହି ବି ଭାବିବେ କି ଏମାନେ ହୁଏତ ହାଣ୍ଡିରେ ପାନୀୟ ଜଳ ରଖି ଜଳଛତ୍ର ଖୋଲିଛନ୍ତି କି? ଯଦି ସେୟା ଭାବୁଛନ୍ତି ତାହା ହେଲେ ଏହା ସଂପୂର୍ଣ୍ଣ ଭୁଲ। ଏହି ହାଣ୍ଡି ଭିତରେ ରହିଛି ପେଣ୍ଡମ, ସଲପ, ଚିନି ମଦ, ଚାଉଳ ମଦ, ଗୁଡ ମଦ ଭଳି ଅନେକ ପ୍ରକାରର ମଦ। ଆଉ ଏହି ମଦର ପସରା ବସିଛି ସ୍ବାଭିମାନ ଅଂଚଳର ପଣସପୁଟ ହାଟରେ।

ଏହି ମଦର ପସରା ଧରି ବସିଛନ୍ତି ଆଦିବାସୀ ଶ୍ରେଣୀର ମହିଳା ଓ ପୁରୁଷ। ଏଠି ଗ୍ରାହକ ମଧ୍ୟ ସେହି ମହିଳା ଓ ପୁରୁଷ। ଏହି ମଦ ବିକାଳିି ମାନେ ହାଟ ପୂର୍ବରୁ ନିଜେ ଘରେ ଏହି ମଦ ଗୁଡିକ ପ୍ରସ୍ତୁତ କରିଥାନ୍ତି। ହାଟ ଦିନ ହାଟରେ ଆଣି ବିକ୍ରି କରିଥାନ୍ତି ଭଳି କି ଭଳି ମଦ। ଗୋଟିଏ ହାଣ୍ଡି ମଦ ବିକିଲେ ବା ୫୦୦ ରୁ ୬୦୦ ଟଙ୍କା ବିକ୍ରି ହେଉଥିବା ବେଳେ ରୋଜଗାର ହୁଏ ୨୦୦ ଟଙ୍କା। ପାରମ୍ପରିକ ଶୈଳୀରେ ମଦ ପ୍ରସ୍ତୁତି କରିବା ସହ ଏହି ସାପ୍ତାହିକ ମଦ ହାଟରେ ଆଦିବାସୀ ମାନେ ବିକ୍ରି କରି ଆସୁଛନ୍ତି। ସପ୍ତାହକୁ ଥରେ ଆଦିବାସୀମାନେ ହାଟକୁ ଆସିଲେ ସମସ୍ତେ କେଉଁ କାଳରୁ ଚାଲି ଆସୁଥିବା ସେମାନଙ୍କର ରୀତିନୀତି ଓ ପରମ୍ପରା ହିସାବରେ ମଦ ପିଇଥାନ୍ତି। ଦିନସାରା ଯାହା ରୋଜଗାର କରିଥାନ୍ତି ଏବଂ ହାଟକୁ ଆସି ଯାହା ପରିବା କିଣନ୍ତି, ତାପରେ ସେମାନେ ଘରକୁ ଫେରିଲା ବେଳେ ମଦ ପିଇ ଘରକୁ ଫେରିଥାନ୍ତି।

Sambad

ଏହି ମଦ ବିଦେଶୀ ମଦ ପରି ପ୍ୟାକ୍‌ରେ ଦିଆ ହୁଏ ନାହିଁ, ବରଂ ଗ୍ଲାସ ହିସାବ ମାପରେ ଦିଆଯାଏ। ୨୦ ରୁ ୩୦ ଟଙ୍କିଆ ମଦ ପିଇ ନିଶାରେ ହାଟରେ ବୁଲିବା ମଜା ନିଅନ୍ତି। ଆଉ ଏହି ମଦ ପାଇଁ ନିକଟରେ ମଧ୍ୟ ଚାଖଣାର ବ୍ୟବସ୍ଥା ରହିଥାଏ। ଜଣେ ଜଣେ ତିନିରୁ ଚାରି ଗ୍ଲାସ ମଦ ପିଇଲେ ନିଶାସକ୍ତ ହୋଇଯାଏ। ଏଭଳି ମଦର ଆସର କେଉଁ ବର୍ଷବର୍ଷ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଅଂଚଳର ହାଟ ଗୁଡିକରେ ବିକ୍ରି ହୋଇ ଆସୁଛି। ସ୍ବାଭିମାନ ଅଂଚଳରେ ପୁଲିସ ଏବଂ ଅବକାରୀ ବିଭାଗର କୌଣସି ଚଢାଉ ନଥିବାରୁ ଏଭଳି ମଦ ହାଟ ବସୁଥିବା ଅନୁମାନ କରାଯାଏ।

ତେବେ ଲୋକେ ଯାହା ରୋଜଗାର କରନ୍ତି ସେଥିରୁ ୮୦ ପ୍ରତିଶତ ମଦରେ ଉଡାଇ ଦିଅନ୍ତି। ଏହି ମଦ ବିକିବା ସଂପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ମଧ୍ୟ ଆଦିବାସୀ ପରମ୍ପରା ଅନୁଯାୟୀ କାହିଁ କେଉଁ ଆଦିମ କାଳରୁ ଏହି ମଦ ବିକ୍ରି ହୋଇ ଆସୁଛି। ଏ ସଂପର୍କରେ ଅବକାରୀ ବିଭାଗର କହିବା କଥା ଯେ, ଆଦିବାସୀମାନେ ନିଜେ ପିଇବା ପାଇଁ ମଦ ପ୍ରସ୍ତୁତ କରିବାର ଅନୁମତି ରହିଛି। କିନ୍ତୁ ହାଟରେ ଯଦି ଏଭଳି ମଦ ପସରା ବିକ୍ରି ହୁଏ ତେବେ ଏସବୁର କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ମଦ ଗୁଡିକ ଜବତ କରିବା ସହ ଗିରଫ ମଧ୍ୟ କରିଆସୁଛୁ। ଗୋଟିଏ ପଟେ ଅଶିକ୍ଷିତ ଆଦିବାସୀଙ୍କ ମଦ ପିଇବା ଓ ବିକିବା ପରଂପରା ଅନ୍ୟପଟେ ଆଇନ ଦୃଷ୍ଟିରେ ଏହାଏକ ବେଆଇନ କାର୍ଯ୍ୟ। ତେଣୁ ଦୋଛକି ଭିତରେ ବର୍ଷବର୍ଷ ଧରି ଚାଲିଆସୁଛି ଏଭଳି ମଦର ଆଡ୍ଡା।

ସମ୍ବନ୍ଧିତ ଖବର