ଜୟପୁର: ସହର ମଧ୍ୟରେ ୱାର୍ଡ ନଂ ୧୦ର ମୁଖ୍ୟରାସ୍ତାରୁ ମହାରାଣୀପେଟା ଯିବା ଅଂଚଳରେ ଥିବା ୩ଟି ସ୍କୁଲ ଓ ସରୋଜିନୀ ଭବନ ପାର୍ଶ୍ବ ଅଂଚଳରେ ଥିବା ବିଦେଶୀ ମଦ ଦୋକାନକୁ ଉଚ୍ଛେଦ କରିବାକୁ ସ୍ଥାନୀୟ ଅଂଚଳର ମହିଳା ମାନେ ଆପତ୍ତି ଅଭିଯୋଗ ଦେଇଛନ୍ତି। ଏମାନେ ଅଭିଯୋଗପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ଅବକାରୀ ଅଧିକ୍ଷକଙ୍କୁ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ସୁରେଶ ଷଡଙ୍ଗୀ ଏହାକୁ ଗ୍ରହଣ କରିଛନ୍ତି। ଏହାରି ମଧ୍ୟରେ ଜିଲ୍ଲାରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକର ଆପତ୍ତି ଓ ଅଭିଯୋଗ ରହିଥିଲେ ଆଜି ସୁଦ୍ଧା ଦାଖଲ କରିବାକୁ ଅବକାରୀ ଅଧିକ୍ଷକ ବିଞପ୍ତି ପ୍ରକାଶ କରିଥିଲେ।
୧୦ନଂ ୱାର୍ଡର ମହାରାଣୀପେଟା ଅଂଚଳରେ ସରୋଜିନୀ ଭବନ, ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ନୂଆସାହି ଜଗତଜନନୀ ପ୍ରାଥମିକ ବିଦ୍ୟାଳୟ, ବାଳିକା ପ୍ରାଥମିକ ବିଦ୍ୟାଳୟ, ସରକାରୀ ଗୌଡ଼ ସାହି ବିଦ୍ୟଳାୟ ଆଦି ରହିଥିବା ଅଭିଯୋଗ କରିଛନ୍ତି ସୁରଭି ପାଣିୀ, ଲକ୍ଷ୍ମୀ ପ୍ରଧାନ, ସାବିତ୍ରୀ ବେହେରା, ମହେଶ ଡୋଲକିଆ, କବିତା ଡୋଲକିଆ, ବାଲିଙ୍କି ଗୌଡ଼, ଚନ୍ଦନ ପାଣି, ମଇନା ଗୌଡ଼, ସନ୍ତୁ ସାଗର, ଗୀତା ଲକ୍ଷ୍ମୀ ସାହୁ, ସୁକାନ୍ତି ସାହୁ, କେ.ଭବାନୀ ପ୍ରମୁଖ ଆଦି ଅଭିଯୋଗ କରି ଉପଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ସରୋଜିନୀ ଭବନରେ ମହିଳା ସ୍ବୟଂ ସହାୟିକା ଦଳର ସିଲେଇ ଠାରୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି। ସ୍କୁଲ ଗୁଡିକର ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବା ସହ ସହରର ମୁଖ୍ୟବଜାର ଯିବା ଆସିବାର ଏହାହିଁ ପ୍ରମୁଖ ରାସ୍ତା। ମଦ ଦୋକାନ ରହିଥିବାରୁ ନିଶାଡି ମାନେ ମହିଳାଙ୍କୁ ଅସଭ୍ୟ ତଥା ଅଶ୍ମିଳ ଆଚରଣ ପ୍ରଦର୍ଶନ କରୁଛନ୍ତି। କୋମଳମତି ଶିଶୁ ମାନଙ୍କ ଉପରେ ଏହାର କିଭଳି ପ୍ରଭାବ ପଡ଼ିବ ସହଜେ ଅନୁମେୟ ବୋଲି ଏମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।