ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ଅଭିଯାନରେ ଆଜି ବେଗୁନିଆ ପୁଲିସ ଓ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉରେ ଏକ ମଦଭାଟିକୁ ନଷ୍ଟ କରାଯିବା ସହ ୭ହଜାର ଲିଟରରୁ ଊର୍ଦ୍ଧ୍ବ ମଦ ତିଆରି କଞ୍ଚାମାଲ ଜବତ କରାଯାଇ ନଷ୍ଟ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ, କଳାସୁର, କଉଁପୁର ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏଥିରେ ଏକ ବେଆଇନ ଦେଶୀ ମଦଭାଟି ନଷ୍ଟ କରାଯିବା ସହ ୬୮୦୦ ଲିଟର ଗୁଡ଼ୱାସ୍, ୫୭୦ଲିଟର ଦେଶୀମଦ ଜବତ କରାଯାଇଛି।
ଏହାସହ ମଦ ତିଆରି ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଥିବା ବେଳେ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଖୋର୍ଦ୍ଧା ଅବକାରୀ ଓଆଇସି ବି ମନୋଜ କୁମାର, ବେଗୁନିଆ ଓଆଇସି ବିରଞ୍ଚି ନାରାୟଣ ମହାନ୍ତିଙ୍କ ସହ ଗୋଟିଏ ସେକ୍ସନ ସଶସ୍ତ୍ର ପୁଲିସ ବାହିନୀ ଓ ଅବକାରୀ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ।