ଡମପଡ଼ା: ଜନ୍ମରୁ ଦୁଇଗୋଡ଼ କାମ କରୁନାହିଁ। ଡାକ୍ତରଙ୍କ ପରାମର୍ଶ ସତ୍ତ୍ବେ ସୁଫଳ ମିଳୁନାହିଁ। ଅଧିକ ଚିକିତ୍ସା କଲେ ଝିଅଟି ଚାଲିପାରିବ, ଅନ୍ୟ ପିଲାଙ୍କ ପରି ଖେଳକୁଦ କରିପାରିବ ବୋଲି ବାପା-ମା’ ଆଶା ବାନ୍ଧିଛନ୍ତି। ହେଲେ, ଦିନମଜୁରିଆ ବାପା ଝିଅର ଚିକିତ୍ସା କରିପାରୁ ନାହାନ୍ତି। ଫଳରେ ଚାରିବର୍ଷ ହେଲା ବିଛଣାରେ ପଡ଼ି ରହିଛି ଶିଶୁକନ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡମପଡ଼ା ବ୍ଲକ୍ ଦୁଲଣାପୁର ପଞ୍ଚାୟତ ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ। ଏହି ଗ୍ରାମର ସୁରେଶ ପଣ୍ଡାଙ୍କର ପତ୍ନୀ ଓ ପୁଅଝିଅଙ୍କୁ ନେଇ ପରିବାର। ସୁରେଶଙ୍କ ବିଲବାଡ଼ି କହିଲେ କିଛି ନାହିଁ। ମୂଲ ମଜୁରୀ ଲାଗି ସେ ପରିବାର ପ୍ରତିପୋଷଣ କରନ୍ତି। ଝିଅ ବେବି ପଣ୍ଡାଙ୍କୁ ଏବେ ଚାରିବର୍ଷ ବୟସ। ଜନ୍ମ ପରଠାରୁ ଝିଅଟିର ଦୁଇଗୋଡ଼ କାମ କରୁ ନ ଥିବା ଦେଖି ବାପା-ମା’ ଚିନ୍ତାରେ ପଡ଼ିଯାଇଥିଲେ। ସେମାନେ ଡାକ୍ତରଙ୍କ ପରାମର୍ଶ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ମୂଲମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିବା ସୁରେଶ ଅର୍ଥାଭାବରୁ ଝିଅର ଅଧିକ ଚିକିତ୍ସା କରିପାରି ନ ଥିଲେ।
/sambad/media/post_attachments/wp-content/uploads/2022/05/IMG20220525135859_6.jpg)
ଫଳରେ ୪ ବର୍ଷ ହେଲା ଝିଅଟି ବିଛଣାରେ ପଡ଼ି ରହିଛି ବୋଲି ବାପା-ମା’ କୋହଭରା କଣ୍ଠରେ କୁହନ୍ତି। ଅନ୍ୟପଟେ, ଶିଶୁକନ୍ୟା ବେବି ୭୫ ଭାଗ ଭିନ୍ନକ୍ଷମ ବୋଲି ଡାକ୍ତରଖାନାରୁ ପ୍ରମାଣପତ୍ର ମିଳିଛି। କିନ୍ତୁ, ଚିକିତ୍ସା ପାଇଁ ସରକାରୀ ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୁରେଶ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ସେ କହିଛନ୍ତି। ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରାଗଲେ ଝିଅଟି ଅନ୍ୟ ପିଲାଙ୍କ ଭଳି ଖେଳକୁଦ କରିବା ସହିତ ପାଠପଢ଼ି ଭଲ ମଣିଷ ହୋଇପାରିବ ବୋଲି ସୁରେଶ କହିଛନ୍ତି। ଏଥିପ୍ରତି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।