ଜୟପୁର : ସହରରେ ଆଉ ଶୁଣିବାକୁ ମିଳୁନି ‘ ଏ ରିକ୍ସା’ର ଡ଼ାକ। ରିକ୍ସା ଉପରେ ନିର୍ଭର ଥିବା ଶହ ଶହ ପରିବାରର ଜୀବନ ଜୀବିକା ଆଜି ଦୁର୍ବିସହ ହୋଇପଡ଼ିଛି। ଅନ୍ୟ ପକ୍ଷରେ ଏବେ ରିକ୍ସାର ସ୍ଥାନ ନେଇଛି ‘ଏ ଅଟୋ’ । ଲୋକେ ଯନ୍ତ୍ରଚାଳିତ ତଥା ଦ୍ରୁତଗତିରେ ପହଚିଂ ପାରୁଥିବା ଆଟୋକୁ ଅଧିକା ଚାହୁଁଛନ୍ତି। ଅନ୍ୟ ପକ୍ଷରେ ଜୟପୁର ସହରରେ ବିଭିନ୍ନ ସାହି, ଗଳି, ଛକରେ ରହୁଥିବା ଶହ ଶହ ରିକ୍ସାର ସ୍ଥାନ ନେଇଛି ଅଟୋ। କାଁ ଭାଁ ସ୍ବଳ୍ପ ରିକ୍ସା ଚାଳକ ୪୦ବର୍ଷ ତଳର ବୃତ୍ତିକୁ ଛାଡ଼ି ନ ପାରି ନିଜ ଭାଗ୍ୟକୁ ଆଦରି ସେଭଳି ଜୀବନସହ ସଂଘର୍ଷ କରି ଚାଳିଛନ୍ତି। ଏପରିକି ରିକ୍ସାର ଚାହିଦା ନଥିବାରୁ ବହୁ ରିକ୍ସା ଚାଳକ ଭୋକ ଉପବାସରେ ଦିନ କାଟିବା ସହ ମରି ହଜିଗଲେଣି ବୋଲି ରିକ୍ସା ଚାଳକ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଦିନକୁ ୨୦୦ରୁ ୩୦୦ଟଙ୍କା ମିଳୁଥିବା ବେଳେ ଏବେ ଦିନକୁ ୪୦ଟଙ୍କା ମିଳିବା ବି କଷ୍ଟ ସାଧ୍ୟ ହୋଇ ପଡ଼ିଛି। ଦିନ ତମାମ ସେଭଳି ଯାତ୍ରୀଙ୍କୁ ଅପେକ୍ଷା କରି ରହିବାକୁ ପଡ଼ୁଛି। ମଣିଷ ଚାଳିତ ରିକ୍ସା ହଜି ହଜି ଯାଉଥିବା ବେଳେ ଏହାକୁ ବୃତ୍ତି ଭାବେ ଆଦରିଥିବା ବହୁ ରିକ୍ସା ଚାଳକ ଏବେ ଆଉ କିଛି କାମ ଧନ୍ଦା କରି ନ ପାରି ସେଭଳି ବେକାରୀ ହୋଇ ବସିରହିଛନ୍ତି। ହାନାଗୁଡାର ଦାସ ନାଗଙ୍କର ୬ଟି ପିଲା , ସ୍ତ୍ରୀଙ୍କୁ ନେଇ ପରିବାର ଚଳାଉଥିଲେ। ଏପରିକି ରିକ୍ସା ଚଳାଇ ହିଁ ଯାହା କିଛି ମିଳୁଥିଲା ସେଥିକିରେ ୩ଟି ଝିଅ , ୨ଟି ପୁଅର ବାହା ବି କରାଇଛନ୍ତି। ଏବେ ୧୫ବର୍ଷର ଝିଅ , ପତ୍ନୀର ପୋଟ ପୋଷିବା ପାଇଁ ବୃତ୍ତି ଛାଡି ପାରି ନଥିବା କହିଛନ୍ତି ଦାସ। ସେଭଳି ଜୟନଗରର ମଙ୍ଗୁଳୁ ହରିଜନ ବି ୫ଟି ପିଲାଙ୍କ ମଧ୍ୟରୁ ଜଣଙ୍କର ବାହା କରାଇଛନ୍ତି। ବଳକା ୪ଜଣ ଜଗନ୍ନାଥ ସାଗରରେ ମାଛ ଧରିବା କାମ କରୁଥିବା କହିଛନ୍ତି ମଙ୍ଗୁଳୁ। ଦାସ, ମଙ୍ଗୁଳୁଙ୍କ ଭଳି ନିଳ ଓ କାନ୍ଦୁରୁ ହରିଜନ ବି ରିକ୍ସା ଚଳାଇ ପରିବାର ଚଳାଉଥିଲେ। ଅଟୋ ଏମାନଙ୍କ ପରିବାରର ପ୍ରତିପୋଷାଣ ତଥା ଜୀବନ ଜୀବିକାରେ ପ୍ରମୁଖ ବାଧକ ସାଜିଲା। ଏମାନେ ନିଜେ ବେକାର ହେବା ସହ ସମାଜର ଅଲୋଡା ବସ୍ତୁ ସାଜିଥିବା ଏମାନେ କହିଛନ୍ତି। ଏଭଳିକି ବହୁ ରିକ୍ସାଚାଳକ ଧନ୍ଦା ନ ଚାଳିବାରୁ ବାଧ୍ୟ ହୋଇ ଖାଲିରେ ବସି ରହିଥିବା ଏମାନେ କହିଛନ୍ତି। ରିକ୍ସା ଚାଳନା ଶାରିରୀକ କଷ୍ଟଦାୟକ କାମ ହୋଇଥିବାରୁ ନିଶା ସେବନର ଅଭ୍ୟାସରେ ପଡ଼ିଥିଲେ। ଏବେ ତାହା ଛାଡ଼ିବା ଏମାନଙ୍କ ପାଇଁ ସମ୍ଭବ ପର ହେଉନି। ଅନ୍ୟ ପକ୍ଷରେ ଶାନ୍ତିରେ ରହୁଥିବା ପରିବାର ପାଇଁ ନିଶା ଅଶାନ୍ତିର କାରଣ ହେଉଛି ବୋଲି କହିଛନ୍ତି ସବାସନ ହରିଜନ। ବହୁ ରିକ୍ସାଚାଳକଙ୍କୁ ରାସନକାର୍ଡ ଓ ଭତ୍ତା ବି ମିଳୁନି, କି ମୁଣ୍ଡ ଗୁଜିଂବାକୁ ଘର ଖଣ୍ଡିକ ବି ନାହିଁ ବୋଲି କହିଛନ୍ତି ସବାସନ। ପ୍ରଶାସନ ପକ୍ଷରୁ ପୂର୍ବରୁ କେତେ ଜଣ ରିକ୍ସାଚାଳକ ବୃତ୍ତିଧାରୀ ଥିଲେ ସେମାନଙ୍କୁ ଚିହ୍ନଟ କରି ସହାୟତା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।