ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗ୍ରାମରେ ୨୦୦୪ ମସିହା ଜୁନ ୧୫ ତାରିଖରେ ତ୍ରିନାଥ ବୁଣାକାର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିଲା | ୧୫ ଜଣ ସଦସ୍ୟାମାନଙ୍କୁ ନେଇ ଏହା ଗଠନ କରାଯାଇ ଅରିଫେବ ସଂସ୍ଥା ଦ୍ଵାରା ପରିଚାଳିତ ହେବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଜହ୍ନାପଙ୍କ ଦ୍ଵାରା ଋଣ ନେଇ ଲୁଗା ବୁଣିବା ସହ ଗୋଷ୍ଠୀର ସଦସ୍ୟାମାନେ ଆତ୍ମନିର୍ଭରଶୀଳ ହୋଇ ପାରିଥିଲେ | ଦୀର୍ଘ ୨୦ ବର୍ଷ ହେବ ଦଳ ଠିକ ଚାଲିଥିବା ବେଳେ ଏହି ଗୋଷ୍ଠୀକୁ ଦୁଇ ଥର ଦୁଇ ଲକ୍ଷ ଟଙ୍କା ହିସାବରେ କେବଳ ଋଣ ମିଳିଛି | ତାସହ ସମସ୍ତ ଋଣ ଟଙ୍କା ସାତ ମାସ ହେବ ପରିଶୋଧ କରାଯାଇଥିବାବେଳେ ସେଇ ଗୋଷ୍ଠୀର ସଦସ୍ୟାମାନଙ୍କୁ ଋଣ ଦିଆଯାଇ ନାହିଁ | ଏହା ସହ ଗୋଷ୍ଠୀର ଜମା ଖାତାରେ ୫୦ ହଜାର ଟଙ୍କାରୁ ଅଧିକ ଜମା ହୋଇ ରହିଛି | ଋଣ ଟଙ୍କା ପାଇବା ପାଇଁ ଦଳର ସମସ୍ତ ସଦସ୍ୟା କାଗଜପତ୍ର ପ୍ରସ୍ତୁତ କରି ମିଶନ ଶକ୍ତି କର୍ମଚାରୀ ଜରିଆରେ ବୌଦ୍ଧ ମିଶନ ଶକ୍ତି କାର୍ଯ୍ୟାଳୟରୁ ଋଣ ଅନୁମୋଦନ ହୋଇଥିବା ବେଳେ ଦଳକୁ ଋଣ ଟଙ୍କା ମିଳିପାରୁନାହିଁ |

Advertisment

କେବଳ ପଂଚାୟତସ୍ତରୀୟ ସଂଘରୁ ୫୦ ହଜାର ଟଙ୍କା ମିଳିଛି | ଋଣ ଟଙ୍କା ପାଇବା ନିମନ୍ତେ ସଦସ୍ୟାମାନେ ଜହ୍ନାପଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ | ଏକ ସପ୍ତାହ ମଧ୍ୟରେ ଋଣ ନ ମିଳିଲେ ଗୋଷ୍ଠୀ ଭାଙ୍ଗି ଦେବେ ବୋଲି ଚେତାବନୀ ଦେବା "ସମ୍ବାଦ"ରେ ଖବର ପ୍ରକାଶ ପାଇଥିଲା | ଏନେଇ ସମ୍ବାଦରେ ଗତ ୪ ତାରିଖରେ ଏହି ଖବର ପ୍ରକାଶ ପାଇବା ପରେ ଗତ ମଙ୍ଗଳବାର ଦିନ ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଷ୍ଠୀଙ୍କୁ ଡକାଇ ଏକ ବୈଠକ କରିଥିଲେ | ଏହା ପରେ ଗୋଷ୍ଠୀର କାଗଜପତ୍ର ନିଆଯାଇ ବ୍ୟାଙ୍କ ପକ୍ଷରୁ ୪୦୦୦୦ ଟଙ୍କା ଅନୁମୋଦନ କରାଯାଇଥିଲା | ଶନିବାର ଓ ସୋମବାର ବ୍ୟାଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ଦିଆଯାଇଛି l ସମ୍ବାଦରେ ଏହି ଖବର ପ୍ରକାଶ ପାଇଥିବାରୁ ଦଳକୁ ଋଣ ମିଳି ଥିବାରୁ ଦଳର ସମସ୍ତ ସଦସ୍ୟାମାନଙ୍କ ପକ୍ଷରୁ ସମ୍ବାଦକୁ ସାଧୁବାଦ ଜଣାଇଛନ୍ତି |