କେନ୍ଦୁଝର ବ୍ଲାଙ୍କଚେକ୍‌ରେ ଋଣ କାରବାର ନେଇ ଆଜି କେନ୍ଦୁଝର ସଦର ବ୍ଲକ୍‌ ମଇଦାନକେଲ ଲ୍ୟାମ୍ପସ ଘେରାଉ କରିଛନ୍ତି ଚାଷୀ। ବାରମ୍ବାର ପରିଶୋଧ କରିବା ପରେ ମଧ୍ୟ ସେମାନଙ୍କର ଋଣ ଶେଷ ହେଉନଥିବାରୁ ଚାଷୀମାନେ ଲ୍ୟାମ୍ପସ ପରିଚାଳକଙ୍କୁ ଦାୟୀ କରି ହୋହଲ୍ଲା କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ହେବ ବୋଲି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ସୂଚନ ଦେଇଛନ୍ତି। ଆଜି ସକାଳେ ଏକାଧିକ ଚାଷୀ ମଇଦାନକେଲ ଲ୍ୟାମ୍ପସକୁ ଆସି ହୋହଲ୍ଲା କରିଥିଲେ।

Advertisment

ଜଗନ୍ନାଥପୁର ଗ୍ରାମର ଚାଷୀ ଖଗେଶ୍ବର ମହାନ୍ତ କହିଛନ୍ତି, ମଇଦାନକେଲ ଲ୍ୟାମ୍ପସରୁ ସେ ୩୦ ହଜା ଟଙ୍କା ଋଣ ନେଇଥିଲେ। ଏଥିପାଇଁ ସେ ବ୍ଲାଙ୍କଚେକ୍‌ ଦେଇଥିଲେ। ଋଣ ପରି‌ଶୋଧ କରିବା ପରେ ମଧ୍ୟ ଏବର୍ଷ ତାଙ୍କ ନାମରେ ୩୫ ହଜାର ଟଙ୍କା ଋଣ ଥିବା ଚିଠି ଆସିଛି। ସେହିପରି ମିତ୍ରଭାନୁ ନାଏକ କହିଛନ୍ତି, ସେ ସାର କିଣିବା ପାଇଁ ୩୨ଶହ ଟଙ୍କା ଋଣ ନେଇଥିଲେ। ଏଥିରୁ ସେ ୧୮୦୦ ଟଙ୍କା ପରିଶୋଧ କରିଥିଲେ। ଏବେ ବି ତାଙ୍କ ନାମରେ ୪୩ ଶହ ଟଙ୍କା ଋଣ ରହିଛି। ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସେହିପରି ହରିହରପୁର ଗ୍ରାମର ଯୁଧିଷ୍ଠିର ମହାନ୍ତ କହିଛନ୍ତି, ଲ୍ୟାମ୍ପସ କର୍ତ୍ତୃପକ୍ଷ ଚାଷୀଙ୍କ ପାଖରୁ ବ୍ଲାଙ୍କଚେକ୍‌ ନେଇ କାରବାର କରୁଛନ୍ତି। ଏହାର ତଦନ୍ତ ହେଉ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହିଙ୍କୁ ପଚାରିବାରୁ, ଚାଷୀଙ୍କ ଅଭିଯୋଗ ସମ୍ପର୍କରେ ତଦନ୍ତ ହେବ। ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।