ରାଉରକେଲା: ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ୍ ସ୍ଵନିଧି) ଯୋଜନା ଅଧୀନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଷ୍ଟ୍ରିଟ୍‌ ଭେଣ୍ଡର ମାନଙ୍କ ନିମନ୍ତେ ଏକ ଋଣ ମେଳା ଆଜି ଉଦିତନଗରସ୍ଥ ମହାନଗର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଛି। ଋଣ ମେଳାରେ ୨୫୦ରୁ ଊର୍ଦ୍ଧ୍ବ ଷ୍ଟ୍ରିଟ୍‌ଭେଣ୍ଡର ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ (ଆର୍. ଏମ୍.) ଅସିମ୍ କୁମାର ଘୋଷ ଯୋଗଦେଇଥିଲେ। ରାଉରକେଲା ସହରରେ ତାଲିକାଭୁକ୍ତ ସମସ୍ତ ଷ୍ଟ୍ରିଟ୍‌ଭେଣ୍ଡର କେମିତି ଏହି ଯୋଜନାରେ ଲାଭ ପାଇପାରିବେ ସେହି ବିଷୟରେ ଅବଗତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ, ଷ୍ଟ୍ରିଟ୍‌ ଭେଣ୍ଡରମାନେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ତାଲିକାଭୁକ୍ତ ହେବାଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟର ଋଣ ପାଇବା ପର୍ଯ୍ୟନ୍ତ ସମ୍ମୁଖିନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Advertisment

ଠିକ୍‌ ସମୟରେ ଋଣ ପରିଶୋଧ କରୁଥିବା ଷ୍ଟ୍ରିଟ୍‌ ଭେଣ୍ଡରମାନଙ୍କୁ ସ୍ବତନ୍ତ୍ରଭାବେ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ଶ୍ରୀ ମହାପାତ୍ର। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅଧୀନରେ ଋଣ ନେଇ ଆବେଦନ କରୁଥିବା କୌଣସି ବି ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ଆବେଦନ ଖାରଜ ହେବନି ବୋଲି ଆଶ୍ବାସନା ଦେଇଥିଲେ ଏସ‌୍‌ବିଆଇ ଆଞ୍ଚଳିକ ପରିଚାଳକ। ଯେଉଁମାନେ ଠିକ୍ ସମୟରେ ଋଣ ପରିଶୋଧ କରୁଛନ୍ତି, ସେମାନଙ୍କ ପାଇଁ ଭବିଷ୍ୟତରେ ମଧ୍ୟ ଅଧିକ ଋଣ ନେଇପାରିବେ ଏଥିରେ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଥିଲେ। ଏହା ସହିତ ଷ୍ଟ୍ରିଟ୍‌ ଭେଣ୍ଡରମାନଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ କରିବା ନିମନ୍ତେ ସମସ୍ତ ଶାଖା ପରିଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାନଗର ନିଗମର ସିଟି ମିସନ ମ୍ୟାନେଜର ସନ୍ତୋଷ ଭୂୟାଁ, ସମସ୍ତ ଗୋଷ୍ଠୀ ସଙ୍ଗଠିକା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସମସ୍ତ ଶାଖାର ପରିଚାଳକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ଏହି ଋଣ ମେଳାରେ ଷ୍ଟ୍ରିଟ୍‌ ଭେଣ୍ଡରମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ଅନ୍ତର୍ଭୂକ୍ତ ହେବା ପାଇଁ ଆବଶ୍ୟକ ବିଭିନ୍ନ ଡକ୍ୟୁମେଣ୍ଟ୍ ଓ ଯୋଗ୍ୟତା ବିଷୟରେ ଅବଗତ କରାଯାଇଥିଲା। ଏହା ସହିତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଭଳି ସାମାଜିକ ସୁରକ୍ଷା ଯୋଜନାରେ ସେମାନେ ଏବଂ ସେମାନଙ୍କ ପରିବାର ସଦସ୍ୟା କିଭଳି ସାମିଲ ହୋଇପାରିବେ ସେ ନେଇ ସୂଚିତ କରାଯାଇଥିଲା। ଋଣମେଳାରେ ୧୦୫ ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ଋଣ ମଞ୍ଜୁରିପତ୍ର ପ୍ରଦାନ କରାଯିବା ସହିତ ୧୦୦ ରୁ ଊର୍ଦ୍ଧ୍ଵ ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ଋଣ ପ୍ରଦାନ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା।