ମଦ ଦୋକାନ ଖୋଲାକୁ ନେଇ ଲବି ଆରମ୍ଭ

୫୫ ଦୋକାନ ପାଇଁ ୫୭୭ ଆବେଦନ

ଭଦ୍ରକ: ରାଜ୍ୟ ସରକାର ମଦ ବେପାରକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଅଧିକ ମଦ ବିକ୍ରି ହେଲେ ରାଜ୍ୟ ସରକାରଙ୍କ ଅଧିକ ରାଜସ୍ବ ମିଳିବ। ଏଇ ଲକ୍ଷ୍ୟରେ ସହର ବଜାରଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ଯେଭଳି ମଦ ଦୋକାନ ଖୋଲା ହେବ ଅଧିକରୁ ଅଧିକ ଲୋକ ମଦ ପିଇବେ ଓ ସରକାରୀ ତହବିଲକୁ ଅଧିକ ରାଜସ୍ବ ଆସିବ। ଏମିତି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଚଳିତ ବର୍ଷ ରାଜ୍ୟ ସରକାର ମଦ ଖୋଲାକୁ ନେଇ ଖୋଲା ଖୋଲି ଭାବେ ନିଲାମ ଡାକିଛନ୍ତି।

ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ୫୫ ଟି ମଦ ଦୋକାନ ଖୋଲିବାକୁ ନେଇ ନିଲାମ ଡକାଯାଇଛି। ଏଇ ନିଲାମରେ ଯେଉଁମାନେ ଭାଗ ନେବେ ସେମାନଙ୍କୁ ଅବକାରୀ ବିଭାଗ ନିକଟରେ ଫର୍ମ ଆବେଦନ କରିବାକୁ ପଡିବ। ଏଇ ଆବେଦନ ପତ୍ର ଦାଖଲ କରାଯିବା ପରେ ଲଟେରୀ ହେବ। ଲଟେରୀ ମାଧ୍ୟମରେ ଯାହା ଯେଉଁ ଦୋକାନ ଉଠିବ। ଜିଲ୍ଲାରେ ୩୫ ଟି ଅଫ୍ ସଫ ଓ ୨୦ ଟି ଦେଶୀ ମଦ ଦୋକାନ ଖୋଲା ହେବ। ଆସନ୍ତା କାଲି ଏଇଥିପାଇଁ ଲଟେରୀ ଉଠାଣ ହେବ। ଏଇ ଲଟେରିରେ ଭାଗ ଦେବାକୁ ମୋଟ ୫୭୭ ଜଣ ଆବଦେନକାରୀ ଦରଖାସ୍ତ ଆବେଦନ କରିଛନ୍ତି। ଯାହାକି ମଦ ଦୋକାନ ଖୋଲାରେ ଜିଲ୍ଲାରେ ପ୍ରଥମ ରେକର୍ଡ ଭାଙ୍ଗୁଥିବା ନେଇ ଚର୍ଚ୍ଚା ହେଉଛି।

ପୂର୍ବରୁ ମଦ ଦୋକାନ ଖୋଲିବାକୁ ନେଇ କେବଳ ଲାଇସେନସ୍ ନବୀକରଣ କରାଯାଉଥିଲା। ଏଇ ବର୍ଷଠାରୁ ନୂଆକରି ଲଟେରୀ ବ୍ୟବସ୍ଥା କରାଯାଇଛି। ଭାଗଦେଉଥିବା ଆବଦେନକାରୀଙ୍କୁ ଆବେଦନ କରୁଥିବା ଦୋକାନର ୩ ମାସର ଲାଇସେନ୍ସ ଫି ଫେରସ୍ତ ଯୋଗ୍ୟ ସହିତ ଏକ ଲକ୍ଷ ଟଙ୍କାର ଫେରସ୍ତ ଯୋଗ୍ୟ ଜମା ରାଣି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଟେରୀ ମାଧ୍ୟମରେ ମଦ ବ୍ୟବସାୟୀମାନେ ଦୋକାନ ପାଆନ୍ତୁ କି ନପାଆନ୍ତୁ। କେବଳ ଆବଦେନ ବାବଦରେ ସରକାରଙ୍କୁ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ବ ମିଳୁଛି। ଜିଲ୍ଲାରେ ୩୫ ଟି ଅଫ୍ ସଫ୍, ୧୭ଟି ଅନ୍ ସଫ୍, ୨୦ ଟି ଦେଶୀ ମଦ ଓ ଗୋଟିଏ ବିଅର ପାର୍ଲର ରହିଛି। ଅନ୍ ସଫ ଓ ବିଅର ପାର୍ଲରକୁ ବାଦ ଦେଇ କେବଳ ଅଫ୍ ସଫ ଓ ଦେଶୀ ମଦ ଦୋକାନ ପାଇଁ ଲଟେରୀ ବ୍ୟବସ୍ଥା କରିଛନ୍ତି। ଲଟେରୀ ଉଠିବା ପରେ ସରକାର ସେହିସବୁ ବ୍ୟବସାୟୀଙ୍କୁ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରିବେ ବୋଲି ନୀତିଗତ ନିଷ୍ପତ୍ତି ନେଇଛନ୍ତି।

ବିଦେଶୀ ମଦ ଦୋକାନ ପାଇବା ପାଇଁ ଅଧିକ ସଂଖ୍ୟକ ବ୍ୟବସାୟୀ ଫର୍ମ ଆବେଦନ କରିଛନ୍ତି। ଲଟେରୀ ମାଧ୍ୟମରେ ମଦ ଦୋକାନ ମିଳିବା ବ୍ୟବସ୍ଥା ନୂଆ କରି ପ୍ରଚଳିତ ହେବାକୁ ଯାଉଥିବା ବେଳେ ଏହାଦ୍ବାରା ଜିଲ୍ଲାର ବହୁ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କର ଏବେ ଭାଳେଣୀ ପଡିଛି। ସେମାନଙ୍କର ମଦ ଦୋକାନ ଖୋଲିବାକୁ ଲଟେରୀ ନଉଠିଲେ। ସେମାନଙ୍କର ମଦ ଦୋକାନ ବେପାର ସବୁଦିନ ପାଇଁ ଠପ୍ ହୋଇଯିବ। ଏଭଳି ଆଶଙ୍କା କରି ଅନେକ ପୁରୁଣା ମଦ ବେପାରୀ ପ୍ରମାଦ ଗଣିବା ଆରମ୍ଭ କରିଥିବା ବେଳେ ମଦ ଦୋକାନ କିଭଳି ସେମାନଙ୍କର କାଏମ ରହିବ ତାହାକୁ ନେଇ ଭିତରି ଭାବେ ଲବି ଆରମ୍ଭ କରି ଦେଇଛନ୍ତି। ଲଟେରୀ ମାଧ୍ୟମରେ ମଦ ଦୋକାନ ହାତେଇବା ଲାଗି ବହୁ ଅସାଧୁ ମଦ ମାଫିଆ ଏହା ଭିତରେ ପଶି ନିଜର ମଦ ସାମ୍ରାଜ୍ୟକୁ ଅଧିକ ବିସ୍ତାର କରିବାକୁ ଯୋଜନା କରିବା ପାଇଁ ପ୍ରାୟାସ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଏପ୍ରିଲ ୮ ତାରିଖରେ ଚଳିତ ବର୍ଷର ମଦ ଦୋକାନ ଖୋଲା ପାଇଁ ଲଟେରୀ ହେବା ପରେ ଆସନ୍ତା ମେ’ ମାସଠାରୁ ମଦ ଦୋକାନ ଖୋଲିବାକୁ ଲାଇସେନସ୍ ଦିଆଯିବ ବୋଲି ଅବକାରୀ ଅଧିକ୍ଷକ ଗୌତମ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର