ସମ୍ବାଦ ପ୍ରଭାବ: ଚଣ୍ଡିଚୁଆ -ନୂଆ ବସଷ୍ଟାଣ୍ଡ ରାସ୍ତା କଡ଼ର ଜବରଦଖଲ ହଟାଇଲା ପ୍ରଶାସନ

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଅଧିକାଂଶ ଜାଗା ବର୍ତ୍ତମାନ ଜବରଦଖଲକାରୀଙ୍କ କବ୍ଜାରେ । ଏନେଇ ସମ୍ବାଦ ପକ୍ଷରୁ କ୍ରମାଗତ ଖବର ପ୍ରକାଶିତ ହେଉଛି । ଗତକାଲି ଚଣ୍ଡିଚୁଆ ଠାରୁ ନୂଆ ବସଷ୍ଟାଣ୍ଡ ରାସ୍ତାର ଅନେକ ସ୍ଥାନରେ ଜବରଦଖଲ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଆଜି ପ୍ରଶାସନ ପକ୍ଷରୁ ଏସଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖ ସ୍ଥାନରୁ ଜବରଦଖଲ ହଟାଯାଇଛି । ବଲାଙ୍ଗୀର- ଖୋର୍ଦ୍ଧା ୫୭ ନମ୍ବର ରାଜପଥରୁ ଖୋର୍ଦ୍ଧା ସହରର ଦୁଇଟି ପ୍ରମୁଖ ପ୍ରବେଶ ପଥ ମଧ୍ୟରୁ ନୂଆବସଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ରାସ୍ତା ଦେଇ ସର୍ବାଧିକ ଗାଡ଼ିମଟର ଚଳାଚଳ କରିଥାଏ । ଏହି ରାସ୍ତାରେ ଟିଏଲ୍ସି ଶ୍ମଶାନ, ସାମ୍ବାଦିକ ଭବନ, ଏଲ୍ଆଇସି କାର୍ଯ୍ୟାଳୟ, ଏସଡ଼ିପିଓଙ୍କ କାର୍ଯ୍ୟାଳୟ ଆଦି ରହିଛି ।

ସେହିଭଳି ଏହି ରାସ୍ତାର ଉଭୟ କଡ଼ରେ ସର୍ବାଧିକ ସରକାରୀ ଜାଗା ରହିଛି । କିନ୍ତୁ ଗତ ଦଶନ୍ଧୀ ମଧ୍ୟରେ ଏହି ସ୍ଥାନଗୁଡ଼ିକରେ ଅନେକ ଜବରଦଖଲ ହୋଇଛି । ଏହି ରାସ୍ତାର ମରାମତି ପାଇଁ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବି ହୋଇଆସୁଥିଲା । ଚଳିତ ବର୍ଷ ଏନେଇ କଂଗ୍ରେସ ଦଳ ପକ୍ଷରୁ ରାସ୍ତାରୋକ ମଧ୍ୟ କରାଯାଇଥିଲା । ଏହାପରେ ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ କରାଯାଇଥିଲା । ତେବେ ଏହି ରାସ୍ତାର ପ୍ରଶସ୍ତୀକରଣ ବର୍ତମାନ ଅଧପନ୍ତରିଆ ହୋଇପଡ଼ିଛି । ଏପରିକି ରାସ୍ତାର ହନୁମାନମନ୍ଦିର ଠାରୁ ନୂଆ ବସଷ୍ଟାଣ୍ଡ ପଟକୁ ପ୍ରାୟ ୫୦ ମିଟର ଜାଗା ଜବରଦଖଲ ଯୋଗୁଁ ପ୍ରଶସ୍ତୀକରଣ ଅଟକିଯାଇଛି ।

ସମ୍ବାଦରେ ଏନେଇ ଖବର ପ୍ରକାଶ ପାଇଥିଲା । ଏହାପରେ ଆଜି ପୌର ପ୍ରଶାସନ ପକ୍ଷରୁ ଏସଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖ ଅଧ ଏକର ଜାଗାକୁ ଜବରଦଖଲ ମୁକ୍ତ କରାଯାଇ ତାରବାଡ଼ ବେଢ଼ାଯାଇଛି । ଏନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ସହରର ଅନେକ ସରକାରୀ ଜାଗା ଜବରଦଖଲରେ ରହିଛି । ଅନେକ ସମୟରେ ସରକାରୀ କାର୍ଯ୍ୟାଳୟ ଓ କ୍ୱାଟର ପାଇଁ ଜାଗା ମିଳିପାରୁନାହିଁ । ଏଣୁ ସରକାରୀ ଜାଗାଗୁଡ଼ିକ ଚିହ୍ନଟ କରି ଜବରଦଖଲ ହଟେଇବାକୁ ଉଦ୍ୟମ କରାଯାଉଛି ।

ବର୍ତମାନ କରୋନା ସଂକ୍ରମଣ ଯୋଗୁଁ ରାସ୍ତାକଡ଼ରେ ବସିଥିବା ପରିବା ଦୋକାନୀଙ୍କୁ ହଟାଇ ଅନ୍ୟସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଜବରଦଖଲ ଯୋଗୁଁ ସେମାନଙ୍କ ଥଇଥାନ ପାଇଁ ଜାଗା ମିଳୁନଥିଲା । ଏସଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖ ସ୍ଥାନରେ ସରକାରୀ ଜାଗା ଅନେକ ଦିନରୁ ଜବରଦଖଲରେ ଥିଲା । ଏହାକୁ ହଟାଯାଇଛି । ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି ଯେ ଆଜି ସକାଳେ ଚିହ୍ନଟ ପରେ ତାଙ୍କରି ଉପସ୍ଥିତିରେ ମାପଚୁପ ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରକୁ ଭଙ୍ଗା ଯାଇ ତାରବାଡ଼ ବେଢ଼ାଯାଇଛି ।

ସମ୍ବନ୍ଧିତ ଖବର