ରାୟଗଡ଼ା: ନୂଆ ରେଳ ଡିଭିଜନ୍ ପ୍ରତିଷ୍ଠା ଲାଗି ବସ୍ତି ଉଚ୍ଛେଦ ପାଇଁ ରେଳ ବିଭାଗ ନୋଟିସ୍ ଜାରି କରିବା ପରେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ବସ୍ତି ବାସିନ୍ଦା। ଗତ ୧ ମାସ ହେଲା ବସ୍ତି ବାସିନ୍ଦାଙ୍କ ପାଇଁ ବିଭିନ୍ନ ରାଜନୈତିକ ଦଳ ସ୍ବର ଉଠାଇ ଆସୁଥିଲେ। ଆଜି ଖୋଦ୍ ବସ୍ତି ବାସିନ୍ଦା ମହାସଂଘ ନିଜର ହକ୍ ପାଇଁ ରାସ୍ତାକୁ ଓହ୍ଲାଇବା ସହ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି।

Advertisment

ଦୀର୍ଘ ୬୦ ବର୍ଷ ହେଲା ୪୫ରୁ ଉର୍ଧ୍ବ ବସ୍ତି ବାସିନ୍ଦା ରାୟଗଡ଼ାରେ ବସବାସ କରି ଆସୁଛନ୍ତି। ୧୯୯୨ ମସିହାରେ ରାୟଗଡ଼ା ରେଲୱେ ଓଭରବ୍ରିଜ୍, ଆଇଟିଡିଏ ଅଫିସ୍, ତହସିଲ ଅଫିସ୍ ନିର୍ମାଣ ପାଇଁ ତହସିଲ କଲୋନିରୁ ୨୪୦ ପରିବାରକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରି ସହିଦ୍ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତି ନିକଟରେ ଥିବା ପାହାଡ଼ ତଳେ ଜାଗା ପ୍ରଦାନ କରିଥିଲା। ସେହି ସମୟରେ ମୌଖିକ ଆକାରରେ ପଟ୍ଟା ପ୍ରଦାନ ପାଇଁ ପ୍ରଶାସନ ଲିଖିତ ଆକାରରେ ଦେଇଥିଲା। ପାହାଡ଼ର ମାଟି କାଟି, ଚାଳ ଛପର ଘର କରି ଗରିବ ବସ୍ତି ବାସିନ୍ଦା ମୁଣ୍ଡ ଗୁଞ୍ଜିଥିବା ବେଳେ ଆଜି ସୁଦ୍ଧା ପ୍ରଶାସନ ପଟ୍ଟା ପ୍ରଦାନ କରିନି। ଏବେ ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ ପୁଣି ଉଚ୍ଛେଦ ନୋଟିସ୍ ଜାରି ହୋଇଛି। ଯାହାକୁ ନେଇ ବସ୍ତି ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି।

ପ୍ରଶାସନ ଜାଗା ନ ଦେଲେ ଆମେ କୁଆଡ଼େ ଯିବୁ ବୋଲି ବସ୍ତି ବାସିନ୍ଦା ପ୍ରଶ୍ନ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାୟଗଡ଼ା ସହରରୁ ରାଲିରେ ବାହାରି ବସ୍ତି ବାସିନ୍ଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ପ୍ରତିବାଦ କରି ମହିଳାମାନେ ରାସ୍ତାରେ ବସି ରହିଥିଲେ। ପୁଲିସ୍ ବୁଝାଶୁଝା କରିବା ପରେ ମହିଳାମାନେ ରାସ୍ତାରୁ ଉଟିଥିଲେ। ଓଡ଼ିଶା ସରକାର ପଟ୍ଟା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ତୁରନ୍ତ ପଟ୍ଟା ପ୍ରଦାନ କଲେ ବସ୍ତି ବାସିନ୍ଦା ଉପକୃତ ହେବେ ବୋଇଲି ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ପୌର ପରିଷଦ ଜରିଆରେ ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ସୂଚନାଯୋଗ୍ୟ, ରାୟଗଡ଼ା ସହରର ୪୫ଟି ବସ୍ତିରେ ୩ ହଜାରରୁ ଉର୍ଧ୍ବ ଲୋକ ବସବାସ କରୁଛନ୍ତି। ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଦୈନିକ କାମରେ ନିୟୋଜିତ ହୋଇ ମଜୁରି ଆଣିବା ପରେ ପରିବାର ଚଳାଉଛନ୍ତି। ହେଲେ ରେଳ ବିଭାଗ ନୋଟିସ୍ ଜାରି କରିବା ଦିନଠାରୁ ଉଚ୍ଛେଦ ଭୟରେ ବସ୍ତି ବାସିନ୍ଦା କାମଧନ୍ଧାକୁ ମଧ୍ୟ ଯାଇ ପାରୁନାହାନ୍ତି।