ଜିଆରଏସଙ୍କ ମୃତ୍ୟୁକୁ ନେଇ ରାଜରାସ୍ତା ଅବରୋଧ, ସ୍ୱାବ ସଂଗ୍ରହରେ ବିଳମ୍ବକୁ ନେଇ ତେଜିଲା ଅସନ୍ତୋଷ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଜିଆରଏସଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଛି। ତେବେ ଜିଆରଏସ ଜଣଙ୍କର ମୃତ୍ୟ ପ୍ରଶାସନିକ ଅବହେଳା କରାଣରୁ ଘଟିଥିବା ଅଭିଯୋଗ କରି ମୃତକଙ୍କ ଗ୍ରାମର ଜନସାଧରଣଙ୍କ କ୍ଷେତ୍ରରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ତେବେ ଏହି ଘଟଣାକୁ ନେଇ ବିଶୋଇ ବ୍ଲକ ସମ୍ମୁଖରେ ଜିଆରଏସଙ୍କ ମୃତଦେହ ନେଇଆସିଥିବା ଘରୋଇ ଆମ୍ବୁଲାନ୍ସ ଗାଡିକୁ ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକ ରଖାଯିବା ସହିତ ଗ୍ରାମବାସୀଙ୍କ ଦ୍ବାରା ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ରାଜରାସ୍ତାକୁ ଅବରୋଧ କରାଯାଇଥିଲା।ସୂଚନାଥାଉକି,ବିଶୋଇ ବ୍ଲକର  ଲୁହାକାନି ଗ୍ରାମ ପଞ୍ଚାୟତର ଜାମିରଡିହା ଗ୍ରାମର ସଞ୍ଜିତ ଧଳ (୪୨) ଏହି ବ୍ଲକର ଏନ ବି ପୋଖରିଆ ପଞ୍ଚାୟତରେ ଜିଆରଏସ ଭାବରେ କାର୍ଯ୍ୟରତ ଥିଲେ।ସଞ୍ଜିତ ଗତ ୧୧ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ସେ ବିଶୋଇ ବିଡ଼ିଓ ଏମ୍.ଡି ଫିରଜ ଖାନଙ୍କୁ ଯୋଗାଯୋଗ କରିବା ସହିତ ତାଙ୍କ ସହମତି କ୍ରମେ ତାଙ୍କ ଠାରୁ କରୋନା ନମୁନା ସଂଗ୍ରହ ନିମନ୍ତେ ମଣଦା ସି.ଏଚ.ସି କୁ ଖବର ଦେଇଥିଲେ ଏବଂ ଗତ ୧୪ ତାରିଖ ଦିନ ସଞ୍ଜିତ ମଣଦା ମେଡିକାଲକୁ ନିଜ ସ୍ୱାବ ଦେବା ପାଇଁ ଯାଇଥିଲେ।କିନ୍ତୁ କୌଣସି ମେଡ଼ିକାଲ ବ୍ୟବସ୍ଥାର ତ୍ରୁଟି କାରଣରୁ ସଞ୍ଜିତଙ୍କ ସ୍ୱାବ ମେଡ଼ିକାଲ ତରଫରୁ ସଂଗ୍ରହ କରାଯାଇନଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ମଣଦା ମେଡିକାଲରେ ସଞ୍ଜିତଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ସହିତ ଛାତିରେ କଫ ଜମିବା କାରଣରୁ ସଞ୍ଜିତଙ୍କ ନିଶ୍ଵାସପ୍ରଶ୍ଵାସ ନେବାରେ ଅସୁବିଧା ଦେଖି ମଣଦା ମେଡ଼ିକାଲ ପକ୍ଷରୁ ତାଙ୍କୁ ବାରିପଦା ପିଆରଏମ୍କୁ ପଠାଯାଇଥିଲା ବୋଲି ମଣଦା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି। ତେବେ ଜିଆରଏସ୍ ଜଣଙ୍କୁ ବାରିପଦା ମେଡ଼ିକାଲରେ ୩ ଦିନ ଅର୍ଥାତ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚିକିତ୍ସା କରାଯାଇଥିଲେ ସୁଦ୍ଧା ପରିବାର ଲୋକଙ୍କ ବିଡ଼ିଓଙ୍କ ଅନୁରୋଧ କରିବା ପରେ ମଧ୍ୟ ବାରିପଦା ମେଡ଼ିକାଲ ପକ୍ଷରୁ କୌଣସି ସ୍ୱାବ ସଂଗ୍ରହର ବ୍ୟବସ୍ଥା କରାଯାଇନଥିଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ।

ଜିଆରଏସ ଜଣଙ୍କ ଅବସ୍ଥା ଅତି ଗୁରୁତର ହେବା ପରେ ତାଙ୍କୁ ପରବର୍ତ୍ତୀ ସମୟରେ ବାରିପଦାରୁ କଟକ ଏସ.ସି.ବି ମେଡ଼ିକାଲକୁ ରେଫର କରାଯାଇଥିଲା। ମାତ୍ର ପରିବାର ଲୋକେ ସରକାରୀ ମେଡ଼ିକାଲ ବ୍ୟବସ୍ଥା ପ୍ରତି ନୈରାଶ୍ୟ ହୋଇ ଶେଷରେ ୧୬ ତାରିଖ ଦିନ କଟକ ମେଡ଼ିକାଲ ଯିବା ପରିବର୍ତ୍ତେ କଟକ ସ୍ଥିତ ସ୍ଥାନୀୟ ସାବରମତି ଜେନେରାଲ ଏକ ଘରୋଇ ମେଡ଼ିକାଲରେ ଜିଆରଏସଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଏଥିସହିତ ୧୬ ତାରିଖ ଦିନ ଘରୋଇ ମେଡ଼ିକାଲ ପକ୍ଷରୁ ସ୍ୱାବ ସଂଗ୍ରହ ହୋଇଥିଲା । ମାତ୍ର ଆଜି ସକାଳେ ସଞ୍ଜିତଙ୍କ ମୃତ୍ୟୁ ଘଟିଥିବା ସହିତ ତାଙ୍କୁ ଘରୋଇ ମେଡ଼ିକାଲ ପକ୍ଷରୁ କରୋନା ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ଡିସଚାର୍ଜ କରାଯାଇଥିଲା।

ତେବେ ଗତ ୨ ଦିନ ପୂର୍ବରୁ ବିଶୋଇ ବ୍ଲକର ଜଣେ କର୍ମଚାରୀ ଓ ତହସିଲଦାରଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସାଧାରଣ ଜନିତ ରୋଗରୁ ସଞ୍ଜିତଙ୍କ ମୃତ୍ୟ ଘଟିଥିବା କଥାକୁ ସଞ୍ଜିତଙ୍କ ଗ୍ରାମବାସୀ ଗ୍ରହଣ କରି ପାରିନଥିଲେ। ଏହି ମୃତ୍ୟୁ କରୋନା ଯୋଗୁ ଘଟିଥିବାରୁ ତାଙ୍କ ଶବକୁ ଗ୍ରାମ ଭିତରକୁ ପ୍ରବେଶ ନକରାଇବା ପାଇଁ ଜିଦ ଧରି ବସିବା ସହିତ ଶବ ନେଇ ଆସିଥିବା ଆମ୍ବୁଲାନ୍ସକୁ ବିଶୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଟକ ରଖିଥିଲେ। ଏହା ଖବର ପାଇବା ପରେ ବିଶୋଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ସହିତ ଗ୍ରାମବାସୀଙ୍କୁ ପୁଲିସ ବୁଝାସୁଝା କରିଥିଲା। ମାତ୍ର ବିଡ଼ିଓ ଜିଆରଏସଙ୍କ ଗ୍ରାମରେ ଥିବାରୁ ଘଟଣାସ୍ଥଳକୁ ଆସିନଥିବା ସହିତ ଗ୍ରାମବାସୀଙ୍କ ଅନୁରୋଧ ପରେ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚିନଥିଲେ। ଏଥିରେ ଉତ୍ୟକ୍ତ ଗ୍ରାମବାସୀ ଶବ ରଖି ଦୀର୍ଘ ସମୟ ଧରି ରାଜରାସ୍ତା ଅଟକ ରଖିବାରୁ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଥିଲେ |

ସମ୍ବନ୍ଧିତ ଖବର