ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କର ରାସ୍ତାରୋକ

ଯାଜପୁର: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଶୁକ୍ରବାର ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଯାଜପୁର-ସିଂହପୁର ମୁଖ୍ୟରାସ୍ତା ଚନ୍ଦନପୁର ଛକ ଠାରେ ବସ ଧକ୍କାରେ ଟିଣା ଗ୍ରାମର ଚନ୍ଦ୍ରମଣି ମଲିକ ପ୍ରାଣ ହରାଇଥିଲେ। ଯୁବକଙ୍କର ମୃତଦେହ ବ୍ୟବଚ୍ଛେଦ ହୋଇ ଆଜି ଗାଁକୁ ଆସିଲା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଗୋଡିଡିହ ଛକ ନିକଟରେ ଟାୟାରଜାଳି ଆଜି ରାସ୍ତାରୋକ କରିଛନ୍ତି। ବିଂଝାରପୁର ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ପହଂଚି ନାହାନ୍ତି।

ସୂଚନାଯୋଗ୍ୟ କଟକରୁ ସିଂହପୁର ଅଭିମୁଖେ ଯାଉଥିବା ଗୁଡିଜୁଡି ବସ ଚକା ତଳେ ଗୁରୁବାର ଟେଣ୍ଟ ହାଉସ କର୍ମଚାରୀ ଚନ୍ଦ୍ରମଣି ମଲିକଙ୍କ ମୃତ୍ୟୁ ଘଟିଥିଲା। ସେ ଏକ ବାଇକ ଯୋଗେ ଜଣେ ସହଯୋଗୀଙ୍କ ସହ ବାଉଁଶ ନେଇ ଯାଉଥିବା ବେଳେ କୌଣସି ପ୍ରକାରରେ ଗାଡିର ପଛ ଚକା ତଳେ ପଡି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର