ଭଦ୍ରକ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡି ଥାନା ସିନ୍ଦଳ ଗ୍ରାମ ଅଞ୍ଚଳରେ ନକଲି ମଦ କାରଖାନା ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ବିଭାଗ ତରଫରୁ ଅତର୍କିତ ଭାବେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ମଦ ସହ, ବିଭିନ୍ନ ନାମିଦାମୀ କମ୍ପାନିର ଲୋଗୋ ଓ ମଦ ତିଆରି ସରଞ୍ଜାମ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି।

Advertisment

publive-image

ଗିରଫ ମହିଳା ଜଣକ ହେଲେ ଉକ୍ତ ଅଞ୍ଚଳର ଗୀତାଞ୍ଜଳି ଦାସ। ଘଟଣାସ୍ଥଳରୁ ଲକ୍ଷ୍ମୀଧର ବେହେରା ନାମରେ ଜଣେ ବ୍ୟକ୍ତି ଫେରାର ହୋଇଯାଇଛି। ପ୍ରାୟ ୨- ୩ ମାସ ହେଲା ଏଠାରେ ନକଲି ମଦ କାରଖାନା ଚାଲୁଥିବା ସୂଚନା ମିଳିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଅବକାରୀ ଉପ ନିରୀକ୍ଷକ ସଂଜୟ କୁମାର ପଣ୍ଡା, ସ୍ପନ୍ଦନ କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଢ଼ାଯାଇ ଯୋଜନା ଅନୁସାରେ ଚଢ଼ାଉ କରାଯାଇଥିଲା।