ଘୁ.ଉଦୟଗିରି: ଏକଦା ଗୋଟିଏ ଗୋଟିଏ ଲୋକପ୍ରିୟ ନାରା ଥିଲା କୁଟି ଖାଅ, କାଟି ପିନ୍ଧ। ଅର୍ଥାତ ଅରଟରେ ସୂତା କାଟି ତାହାକୁ ବସ୍ତ୍ର ତିଆରି କରି ପିନ୍ଧିବା ଓ ଶସ୍ୟକୁ କୁଟି ତହିଁରୁ ପ୍ରସ୍ତୁତ ଖାଦ୍ୟକୁ ଗ୍ରହଣ କରିବା। କହିବାକୁ ଗଲେ ସମ୍ପୂର୍ଣ୍ଣ ଦେଶୀୟ ପଦାର୍ଥକୁ ଗୁରୁତ୍ୱର ସହ ବ୍ୟବହାର କରିବା। ଓଡ଼ିଆରେ ଏକ ପ୍ରବାଦ ରହିଛି ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ। ସେଇ ଢ଼ିଙ୍କି ଆଜି ଦେଖିବା ସ୍ୱପ୍ନ ହୋଇଯାଇଛି। କନ୍ଧମାଳ ଜିଲ୍ଲାରେ ଘରେ ଘରେ ସ୍ଥାନୀୟ ଅଧିବାସୀମାନେ ଢ଼ିଙ୍କି ସାହାଯ୍ୟରେ ଧାନ କୁଟି ଚାଉଳ ପ୍ରସ୍ତୁତ କରୁଥିଲେ। ପରିଶ୍ରମ କରୁଥିଲେ ସୁସ୍ଥ ରହୁଥିଲେ। ବର୍ତ୍ତମାନ ସେ ଯୁଗ ଗଲା କଳ ଯୁଗ ଆସିଲା। ଆଉ ସେ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉ ଥିବା ଖାଦ୍ୟ ଆମ ଚତୁଃପାର୍ଶ୍ୱରୁ ଉଭେଇ ଗଲା। ଆଉ ତହିଁରେ ବ୍ୟବହୃତ ସରଞ୍ଜାମ ସଂଗ୍ରହାଳୟରେ ସ୍ଥାନ ନେଲା କିମ୍ବା ଇତିହାସ ପାଲଟିଗଲା। ଆଉ ଆଗାମୀ ପିଢି ପାଇଁ ଏହା କେବଳ ଗୋଟିଏ କାହାଣୀ।
ଶସ୍ୟ ଜାତୀୟ ଖାଦ୍ୟକୁ ଖାଦ୍ୟପଯୋଗୀ କରିବା ପାଇଁ ଆମ ପୂର୍ବ ପିଢି ଯେଉଁ ଦେଶୀୟ ପ୍ରଣାଳୀ ପ୍ରସ୍ତୁତ କରିଥିଲା ସେହି ଯନ୍ତ୍ରର ନାମ ହେଲା ଢିଙ୍କ। ଢିଙ୍କି କୁଟା ଚାଉଳ ଯିଏ ଖାଇଛି ସିଏ ଜାଣିଛି ତାର ସ୍ୱାଦ ଓ ମୂଲ୍ୟ। ସେତେବେଳେ ସେହି ଅକାଣ୍ଡିଆ ଚାଉଳ ଶରୀରକୁ ପ୍ରଚୁର ଶକ୍ତି ଓ ଭିଟାମିନ ଯୋଗାଉଥିଲା। ବଗଡା ଚାଉଳ ଆଜି ଆଉ ନାହିଁ। ଢିଙ୍କି କୁଟା ଚାଉଳ ପ୍ରସ୍ତୁତ ସମୟରେ ଚାଉଳ ତାର ମୌଳିକ ସତ୍ତା ବା ପୌଷ୍ଟିକ ତତ୍ତ୍ୱ ହରାଇ ନଥାଏ। ଚାଉଳର ଯେଉଁ ଉପର ସ୍ତରରେ ବାଦାମୀ ରଙ୍ଗର ପରସ୍ତ ରହୁଥିଲା ସାଧାରଣତଃ ଅକ୍ଷତ ଅବସ୍ଥାରେ ରହୁଥିଲା। କିନ୍ତୁ ଧାନ କଳରେ ପେଶିବା ବେଳେ ଚାଉଳ ତାର ମୌଳିକ ତତ୍ତ୍ୱ ହରାଇ ଥାଏ।
ଆଜି ଆମେ ଆଖିକୁ ସୁନ୍ଦର ଦେଖାଯାଉଥିବା ଚିକ୍କଣ ଚାଉଳ ଖାଉଛନ୍ତି, ଯାହାକି ଆମର କେବଳ ଭୋକିଲା ପେଟ ପାଇଁ ଭୋକ ମେଣ୍ଟାଉଛି। ସେଥିରୁ ଶରୀର ପାଇଁ ଉପଯୁକ୍ତ ଶକ୍ତି ମିଳୁଥିବା ନେଇ ମନରେ ବିଶ୍ୱାସ ଆସୁନାହିଁ। ଢିଙ୍କି ସାହାଯ୍ୟରେ ସମସ୍ତ ଶସ୍ୟଜାତୀୟ ସାମଗ୍ରୀରୁ ଆମେ ଅନେକ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରୁଥିଲା। ଧାନ, ଗହମ, ମାଣ୍ଡିଆ, ମକା, କୁଇରି, ଚୁଡ଼ା ଓ ଡାଲି ଜାତୀୟ ଯଥା କାନ୍ଦୁଲ, କୋଳଥ ଭଳି ମଧ୍ୟ ଅନେକ ଏହା ସାହାଯ୍ୟରେ ପ୍ରସ୍ତୁତ ହେଉଥିଲା । ଢିଙ୍କି ଦ୍ୱାରା ପ୍ରସ୍ତୁତ ଚାଉଳ ଚୁନାରେ ଯେଉଁ ପିଠା ହେଉ ଥିଲା ତାହା କଳଦ୍ୱାରା ହୋଇ ଥିବା ଚୁନାରେ ଫରକ ଆଣୁଛି। ଯାହାବି ହେଉ ତାହାକୁ ଝୁରିବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ।
ଢିଙ୍କି ଆଜି ଆଉ କାଁ ଭାଁ ଦେଖିବାକୁ ମିଳୁଛ। ଢିଙ୍କି ଗୋଡ଼ ସାହାଯ୍ୟରେ ଓ ଆଉ ଗୋଟିଏ ହାତ ସାହାଯ୍ୟରେ କୁଟାଯାଉଥିଲା। ହାତରେ କୁଟା ଯାଉଥିବା ସରଞ୍ଜାମ କଡୁ ବା ପାହୁରାଣି ନାମରେ ଜଣାଶୁଣା। ପରିବର୍ତ୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରିପାରିବା, ଶ୍ରମ ଦାନର ଅଭାବ ଓ ଅଳସୁଆମି ପଣ ଯୋଗୁଁ ସଂସାରରୁ ଅନେକ ଜିନିଷ ହଜି ଯିବାକୁ ବସିଲାଣି।