ନୂଆଗାଁ: ଦୁଇବର୍ଷ ଧରି ପଞ୍ଚାୟତରୁ ବ୍ଲକ୍‌ ପର୍ଯ୍ୟନ୍ତ ଗୁହାରିକରି ଥକିଗଲେ ଗାଁଲୋକେ। ମାତ୍ର କାହିଁରେ କିଛି ସୁଫଳ ମିଳିଲାନି। ଲୋକେ ଏବେ ସରକାରୀ ଅର୍ଥ ଉପରେ ନିର୍ଭର ନକରି ନିଜେ ଚାନ୍ଦାକରି ରାସ୍ତା ମରାମତି କରିବା ନିଷ୍ପତ୍ତି ନେଲେ ଗାଁଲୋକେ। ସେହି ଅନୁସାରେ କାମ ବି କଲେ। ବାରିଲେପଟା ପଞ୍ଚାୟତ ବଡ଼କାଟୋଲି ଗ୍ରାମରେ ଏପରି ଉଦାହରଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗାଁରେ ବାସକରନ୍ତି ୧୦୦ ପରିବାର ପ୍ରାୟ ୫ ଶହ ଲୋକ। ସେହିପରି ପାହାନଟୋଲି, ଭଗତଟୋଲି, ଗାରଦା, ପାତ୍ରାପାଲି, ଟାଙ୍ଗରପାଲି ଆଦି ଗ୍ରାମବାସୀଙ୍କ ପାଇଁ ପଞ୍ଚାୟତ ଓ ବାହାରଦୁନିଆ ସହ ଯୋଗାଯୋଗର ମୁଖ୍ୟ ମାଧ୍ୟମ ହେଉଛି ଏହି ରାସ୍ତା।

Advertisment

ପ୍ରାୟ ୨ ବର୍ଷ ଧରି ଏହି ରାସ୍ତାଟି ମରଣଯନ୍ତା ପାଲଟିଥିବାବେଳେ ଗାଁଲୋକ ପଞ୍ଚାୟତଠାରୁ ଆରମ୍ଭକରି ବିଡିଓଙ୍କ ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ବାରମ୍ବାର ଗୁହାରି ଜଣାଇଥିଲେ। ନୂଆଗାଁରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ବି ରାସ୍ତାକଥା ଗାଁଲୋକେ ଉଠାଇଥିଲେ। କିନ୍ତୁ କୌଣସିରେ କିଛି ସୁଫଳ ନ ମିଳିବାରୁ ଗାଁଲୋକେ ନିଜେ ଚାନ୍ଦାକରି ରାସ୍ତା ମରାମତି କରିବାକୁ ସ୍ଥିର କରିଥିଲେ। ପ୍ରତି ପରିବାରରୁ ଚାନ୍ଦା ଓ ଶ୍ରମଦାନ କରି ରାସ୍ତାରେ ମୋରମ୍‌ ପକାଇବା ସହ କଲ୍‌ଭର୍ଟ ମରାମତି କରିଥିଲେ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସନୀୟ ହୋଇଛି। ତେବେ ୨୦୨୨ ପଞ୍ଚାୟତ ନିର୍ବାଚନ​ରେ ପ୍ରତିପକ୍ଷଙ୍କୁ ଭୋଟ୍‌ ଦେଇଥିବାରୁ ତାଙ୍କ ଗାଁକୁ ଅଣଦେଖା କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମବାସୀ ବାରମ୍ବାର କହିବା ସତ୍ତ୍ବେ କିଛି କାମ ନ ହେବାରୁ ଶେଷରେ ନିଜେ ଚାନ୍ଦାକରି ରାସ୍ତାଟିକୁ ମରାମତି କଲୁ। ଆଗକୁ ମଧ୍ୟ ଆବଶ୍ୟକ ହେଲେ ମରାମତି କରିବୁ ବୋଲି କହନ୍ତି ଏହି କାମରେ ନେତୃତ୍ବ ନେଇଥିବା ବଡ଼କାଟୋଲିର ପ୍ରତାପ ନାଏକ। ତେବେ ଏ ବାବଦରେ ବାରିଲେପଟା ସରପଞ୍ଚ ରଜନୀ ଟପ୍ପୋଙ୍କୁ ପଚାରିବାରୁ ଗାଁଲୋକେ ରାସ୍ତା ବିଷୟରେ ତାଙ୍କୁ ଜଣାଇଥିଲେ ଓ ସେ ମଧ୍ୟ ବିଡିଓଙ୍କୁ ଜଣାଇଥିଲେ ବୋଲି କହିବା ସହ ଜିଲ୍ଲାପାଳ ମୋରମ୍‌ କାମ ପାଇଁ ମନରେଗା ପାଣ୍ଠି ମଞ୍ଜୁର କରୁନଥିବାରୁ ରାସ୍ତାକାମ ହୋଇପାରିନାହିଁ ବୋଲି କହିଥିଲେ।